ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ନୂଆଦିଲ୍ଲୀ ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ସେଠାରେ ସେ ଗାର୍ଡ ଅଫ ଅନର ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ଏହି ପବିତ୍ର ପର୍ବରେ ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ଭାରତର ସାହସୀ ବୀରଙ୍କୁ ଅଭିବାଦନ କରିବାର ପର୍ବ। ଆମର ସେନା, ପୁଲିସ୍ କର୍ମଚାରୀ ଓ ସୁରକ୍ଷା ବାହିନୀ ସମସ୍ତେ ମାତା ଭାରତୀଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ଅଛନ୍ତି। ଆଜି ମଧ୍ୟ ତାଙ୍କ ସେବାକୁ ପ୍ରଣାମ କରିବାର ପର୍ବ। ଦେଶରେ ଜାରି ରହିଥିବା କୋଭିଡ଼-୧୯ ମହାମାରୀରେ ନିଜକୁ ନିୟୋଜିତ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଅବସରରରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି ଦେଶକୁ ବିକାଶ ପଥରେ ନେବା ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଆତ୍ମନିର୍ଭର ଭାରତ ଅଭିଯାନ ସହ ଦେଶରେ ମହିଳାଙ୍କ ବିବାହ ବୟସ ଧାର୍ଯ୍ୟ କରିବାଠାରୁ ଆରମ୍ଭ କରି କୋଭିଡ୍ ଯୋଦ୍ଧାଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ୍ ଜଣାଇବା ପର୍ଯ୍ୟନ୍ତ ବହୁ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ।