Odisha Link
Bridging the Missing Links in Odisha

ଆଇସିସି ଅଧ୍ୟକ୍ଷ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୮

ଦୁବାଇ: ଅଗାମାୀ ଆଇସିସି ଅଧ୍ୟକ୍ଷ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଗତ ଜୁଲାଇ ମାସରୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଛି। ତିିନ ମାସ ବିତି ଯାଇଥିଲେ ମଧ୍ୟ ଆଇସିସିର ନୂଆ ଅଧ୍ୟକ୍ଷ ମନୋନୟନ କିମ୍ବା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ପାରିନାହିଁ। ଅକ୍ଟୋବର ୧୮ ସୁଦ୍ଧା ନୂଆ ଅଧ୍ୟକ୍ଷ ମନୋନାୟନ କାର୍ଯ୍ୟ ଶେଷ କରିବା ପାଇଁ ଆଇସିସି ତାର ନିର୍ଦ୍ଦେଶକ ମଣ୍ଡଳୀକୁ ନିର୍ଦ୍ଦେଶ ଦେଇଛି। ଏହି ସମୂର୍ଣ୍ଣ ପ୍ରକ୍ରିୟ ଉପରେ ଆଇସିସିର ଅଡିଟ୍‌ କମିଟିର ସ୍ୱାଧୀନ ଅଧ୍ୟକ୍ଷ ନଜର ରଖିବେ ବୋଲି ସୂଚନା ରହିଛି।

ଯଦି ମନୋନୟନ ପ୍ରକ୍ରିୟାରେ ଅଧ୍ୟକ୍ଷ ଚୟନ ନହୁଅନ୍ତି ତେବେ ନିର୍ବାଚନ ହେବ। ଯିଏ ପ୍ରାର୍ଥୀ ହେବେ ତାଙ୍କୁ ୧୭ ବୋର୍ଡ ସଦସ୍ୟଙ୍କ ମଧ୍ୟରୁ ଏକତୃତୀୟାଂଶ ସମର୍ଥନ ଆବଶ୍ୟକ। ପାଖା ପାଖି ୧୧ କିମ୍ବା ୧୨ଟି ଭୋଟ୍‌ ଲୋଡ଼ା। ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଯିଏ ବି ହେବେ ତାଙ୍କର କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ।

ଆଇସିସିର ନିର୍ଦ୍ଦେଶକ ମଣ୍ଡଳୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ମନୋନୀତ କରିବେ। ତାଙ୍କୁ ଆଉ ଜଣେ ସଦସ୍ୟ ସମର୍ଥନ ଜଣାଇବେ। ଆଇସିସି ନିୟମ ଅନୁସାରେ ଯିଏ ବି ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହେବେ ସେ ପୂର୍ବରୁ କିମ୍ବା ବର୍ତ୍ତମାନ ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟ ହୋଇଥିବେ।

ମନୋହରଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ଆଇସିସି ଉପାଧ୍ୟକ୍ଷ ଇମ୍ରାନ ଖୱାଜା ଏବେ କାମଚଳା ଅଧ୍ୟକ୍ଷ ଭୂମିକାରେ ରହିଛନ୍ତି। ପୂର୍ବରୁ ଯାହା ଆଲୋଚନା ହେଉଥିଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ପାକିସ୍ତାନ ବୋର୍ଡର ମୁଖ୍ୟ ଏହ୍‌ସାନ ମଣି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲିନ ଗ୍ରେଭେସ ଆଇସିସି ଅଧ୍ୟକ୍ଷ ଦୌଡ଼ରେ ରହିଥିଲେ।

Comments are closed.