ବାଲେଶ୍ବର ଉପନିର୍ବାଚନ: ସବୁଠୁ ଗରିବ ପ୍ରାର୍ଥୀ ୮୦ ବର୍ଷୀୟ ବେଣୁଧର, ଘରକୁ ଘର ବୁଲି କରୁଛନ୍ତି ପ୍ରଚାର

ବାଲେଶ୍ବର: କରୋନା କାଳରେ ରାଜ୍ୟରେ ହେଉଛି ଦୁଇ ଦୁଇଟି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ମାତିଛନ୍ତି। ଏସବୁ ମଧ୍ୟରେ ବାଲେଶ୍ବର ଉପନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଖୁବ୍ ହେଉଛି। ସ୍ବାଧୀନ ପ୍ରାର୍ଥୀଙ୍କ ନାମ ବେଣୁଧର ବାରିକ। ବୟସ ୮୦। ହେଲେ ବିଧାୟକ ହୋଇ ସମାଜରେ ଜରୁରୀ ପରିବର୍ତ୍ତନ ଆଣିବାର ନିଜ ଇଚ୍ଛାକୁ ପୂରଣ କରିବାକୁ ସେ ଏବେ ଆକଗୁ ଆଗେଇ ଆସିଛନ୍ତି। ଜୀବନ ସାରା ନିଜ ସ୍ୱଳ୍ପ ଆୟରୁ ଯାହା କିଛି ଅର୍ଥ ସଞ୍ଚୟ କରି ରଖିଥିଲେ ତାହା ଖର୍ଚ୍ଚ କରି ବାଲେଶ୍ୱର ସଦର ପାଇଁ ହେବାକୁ ଥିବା ବିଧାନ ସଭା ଉପନିର୍ବାଚନରେ ନିର୍ବାଚନ ଲଢ଼ୁଛନ୍ତି ବେଣୁଧର ବାରିକ।
ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ। ଲୋକଙ୍କ ବାଳ କାଟି ସେ ପେଟ ପୋଷନ୍ତି। ଯେଉଁ ବୟସରେ ଚାଲି ଚାଲି ପାଦ ଥକି ପଡ଼ିବା କଥା ସେହି ବୟସରେ ବି କମିନି ତାଙ୍କ ମନରେ ଥିବା ସାମାଜିକ ପରିବର୍ତ୍ତନ କରାଇବାର ଇଚ୍ଛା। ମାତ୍ର ୧୩ ବର୍ଷ ବୟସରେ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କମ୍ୟୁନିଷ୍ଟ (ସିପିଆଇ) ନେତାଙ୍କ ସଂସ୍ପର୍ଶରେ ଆସିଲେ। ପରେ ନିଜକୁ ଜଣେ କମ୍ୟୁନିଷ୍ଟ ନେତା ଭାବେ ଗଢ଼ି ତୋଳିଥିଲେ। ସେବେଠାରୁ ସେ ସରଳ ଜୀବନ ବିତାଇ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଅତୀତରେ ବାଲେଶ୍ୱର ବହୁ ବସ୍ତିବାସିନ୍ଦାକୁ ଜମି ପଟ୍ଟା ମିଳିଛି।
ବେଣୁଧର ବାରିକ ଗଣମାଧ୍ୟମକୁ କହିଛନ୍ତି ଯେ, ଲୋକଙ୍କ ଭଲ ପାଇବା ମୋ ପୁଞ୍ଜି। ଏହାକୁ ପାଥେୟ କରି ମୁଁ ଉପନିର୍ବାଚନ ମଇଦାନରେ ଆଜି ପ୍ରାର୍ଥୀ ଭାବେ ଠିଆ ହୋଇଛି। ଜୀବନ ତମାମ ଖଟିଖିଆ ମେହନତି ମଣିଷ, ବାସ୍ତିବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରି ଆସିଛି। ଏହି ଲଢ଼େଇ ମଧ୍ୟ ଆଗାମୀ ଦିନରେ ଚାଲିବ। ଲୋକେ ନିଶ୍ଚିତ ଭାବେ ମୋତେ ଭୋଟ ଦେବେ। ବିଧାୟକ ଭାବେ ନିର୍ବାଚିତ ହେବା ପରେ ବସ୍ତିବାସିନ୍ଦାଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି। କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମି ପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବି ବୋଲି ନିଜ ପ୍ରକାଶ କରିଛନ୍ତି ବେଣୁଧର।
ସୂଚନାଥାଉକି, ବାଲେଶ୍ବର ଉପନିର୍ବାଚନରେ ମୋଟ ଛଅ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସମେଧ୍ୟରୁ ବେଣୁଧର ବାରିକ ହେଉଛନ୍ତି ସବୁଠାରୁ ଗରିବ ଓ ବୟସ୍କ ପ୍ରାର୍ଥୀ। କରୋନା କାଳରେ ରାଜ୍ୟରେ ହେବାକୁ ଯାଉଛି ଦୁଇ ଦୁଇଟି ଉପନିର୍ବାଚନ। ଏଥିପାଇଁ ସମସ୍ତ ଦଳ ଆପଣାଇଛନ୍ତି ନୂଆ ନୂଆ ରଣନୀତି। ନଭେମ୍ବର ତିନି ତାରିଖରେ ଭୋଟ ଗ୍ରହଣ ହେବ ଏବଂ ନଭେମ୍ବର ଦଶ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।