Odisha Link
Bridging the Missing Links in Odisha

ଆଜିଠୁ ଦେଶରେ ବଦଳି ଯିବ ଏହି ସବୁ ନିୟମ, ଜନତାଙ୍କ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଆଜି ହେଉଛି ନଭେମ୍ବର ୧ ତାରିଖ। ଆଜିଠୁ ଦେଶରେ ବଦଳିବାକୁ ଯାଉଛି ବହୁ ନିୟମ। ଯାହାର ସିଧାସଳଖ ପ୍ରଭାବ ଜନତାଙ୍କ ପକେଟ ତଥା ଜୀବନ ଉପରେ ପଡ଼ିବ। ରବିବାରଠାରୁ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରଠାରୁ ଆରମ୍ଭ କରି ଟ୍ରେନ୍‌ ଗୁଡ଼ିକର ସମୟ ସାରଣୀ ପର୍ଯ୍ୟନ୍ତ ସବୁକିଛି ବଦଳିବାକୁ ଯାଉଛି। କେଉଁ କେଉଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ଜାଣନ୍ତୁ…

ବଦଳିବ ଏଲପିଜି ଡେଲିଭରି ନିୟମ:
ନଭେମ୍ବର୧ରୁ ସିଲଇଣ୍ଡିର ଡେଲିଭରି ନିୟମ ବଦଳିଯିବ। ତୈଳ କମ୍ପାନୀ ଗୁଡ଼ିକ ନଭେମ୍ବର ୧ ତାରିଖରୁ ଡେଲିଭରି ଅଥଣ୍ଟିଫିକେସନ୍‌ କୋଡ୍‌ (ଡିଏସି) ସିଷ୍ଟମ ଲାଗୁ କରିବେ। ଅର୍ଥାତ୍‌ ଗ୍ୟାସ୍‌ ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କ ପଞ୍ଜକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଯେତେବେଳେ ସିଲିଣ୍ଡର ଉପଭୋକ୍ତାଙ୍କ ଘରେ ପହଁଞ୍ଚିବ ସେତେବେଳେ ଉକ୍ତ ଓଟିପିକୁ ଡେଲିଭରି ବୟ ସହିତ ସେୟାର କରିବାକୁ ପଡ଼ିବ। ଓଟିପି ସିଷ୍ଟମ୍‌ ସହ ମ୍ୟାଚ୍‌ ହେବା ପରେ ଯାଇ ଗ୍ରାହକଙ୍କୁ ସିଲିଣ୍ଡର ମିଳିବ।

ଗ୍ୟାସ୍‌ ଚୋରିକୁ ରୋକିବା ପାଇଁ ତୈଳ କମ୍ପାନୀ ଗୁଡ଼ିକ ଡେଲିଭରି ସିଷ୍ଟମକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଏହି ସିଷ୍ଟମ ପ୍ରଥମେ ଦେଶର ୧୦୦ ସ୍କାର୍ଟ ସିଟିରେ କାର୍ଯ୍ୟକାରୀ ହେବ। ପରେ ସମୟକ୍ରମେ ସାରା ଦେଶରେ ଏହି ସିଷ୍ଟମକୁ ଲାଗୁ କରାଯିବ। ଏହି ସିଷ୍ଟମ କେବଳ ଘରୋଇ ଗ୍ୟାସ୍‌ ସିଲିଣ୍ଡର ପାଇଁ। କମର୍ଶିଆଲ ଏଲପିଜି ସିଲିଣ୍ଡର ଉପରେ ଏହି ନିୟମ ଲାଗୁ କରାଯିବ ନାହିଁ।

ସଂଶୋଧିତ ହେବ ଗ୍ୟାସ୍‌ ଦର:
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସ ୧ ତାରିଖରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଧାର୍ଯ୍ୟ କରିଥାନ୍ତି। ଦର ବୃଦ୍ଧି ଘଟିପାରେ କିମ୍ବା ହ୍ରାସ ହୋଇପାରେ। ତେଣୁ ନଭେମ୍ବର ୧ରେ ରନ୍ଧନ ଗ୍ୟାସ ଦର ସଂଶୋଧନ କରାଯାଇପାରେ। ଅକ୍ଟୋବରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ ସିଲିଣ୍ଡର ଦରରେ ବୃଦ୍ଧି ଘଟାଇଥିଲେ।

ବଦଳିବ ଟ୍ରେନ୍‌ ଟାଇମ୍‌ ଟେବୁଲ:
ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। ନଭେମ୍ବର ପହିଲାରୁ ଭରତୀୟ ରେଳ ସମଗ୍ର ଦେଶରେ ଟ୍ରେନ୍‌ ଗୁଡ଼ିକର ଟାଇମ୍‌ ଟେବୁଲ ବା ସମୟସାରଣୀ ବଦଳାଇବାକୁ ଯାଉଛି। ନଭେମ୍ବର ୧ରୁ ଟ୍ରେନ୍‌ ଗୁଡ଼ିକର ନୂଆ ଟାଇମ୍‌ ଟେବୁଲ ଜାରି ହେବ। ଏହି ପଦକ୍ଷେପ ଦ୍ବାରା ୧୩ ହଜାର ଯାତ୍ରୀବାହୀ ଏବଂ ୭୦୦୦ ମାଲବାହୀ ଟ୍ରେନ୍‌ର ଟାଇମଟେବୁଲ ବଦଳିଯିବ। ଦେଶର ୩୦ଟି ରାଜଧାନୀ ଟ୍ରେନର ସମୟ ସାରଣୀ ବି ନଭେମ୍ବର ୧ ରୁ ବଦଳିଯିବ।

ବଦଳିଯିବ ଇଣ୍ଡେନ୍‌ ଗ୍ୟାସର ବୁକିଂ ନମ୍ବର:
ଆପଣ ଯଦି ଜଣେ ଇଣ୍ଡେନ ଗ୍ୟାସ୍‌ ଗ୍ରାହକ ତେବେ ଆସନ୍ତାକାଲିଠୁ ଆଉ ଆପଣ ପୁରୁଣା ନମ୍ବରରେ ଗ୍ୟାସ୍‌ ବୁକ୍‌ କରି ପାରିବେ ନାହିଁ। ଇଣ୍ଡେନ୍‌ ଏହାର ଏଲପିଜି ଉପଭୋକ୍ତାଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଗ୍ୟାସ୍‌ ବୁକିଂ କରିବାର ନୂଆ ନମ୍ବରକୁ ପଠାଇଛି। ଏବେ ଦେଶବ୍ୟାପୀ ଥିବା ଇଣ୍ଡେନ ଗ୍ୟାସ୍‌ ଉପଭୋକ୍ତା ଏଲପିଜି ସିଲିଣ୍ଡର ବୁକ୍‌ କରିବା ପାଇଁ ୭୭୧୮୯୫୫୫୫୫ ନମ୍ବରରେ କଲ୍‌ କିମ୍ବା ଏସଏମ୍‌ଏସ୍‌ କରିବେ। ଏନେଇ ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶବ୍ୟାପୀ ଇଣ୍ଡେନ୍‌ ଗ୍ୟାସ୍‌ ବୁକ୍‌ କରିବା ପାଇଁ ଏହି ଏକକ ନମ୍ବର କାର୍ଯ୍ୟ କରିବ। ଗ୍ରାହକଙ୍କ ପାଇଁ ଏହା ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ।

ଟଙ୍କା ଉଠାଣ ଓ ଜମା ଉପରେ ଅତିରିକ୍ତ ଚାର୍ଜ:
ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକଙ୍କ ପାଇଁ ଖରାପ ଖବର। ନଭେମ୍ବର ୧ରୁ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ରେ ଧାର୍ଯ୍ୟ ସୀମାଠାରୁ ଅଧିକ ଟଙ୍କ ଜମା ଓ ଉଠାଣ କରିବା ଦ୍ବାରା ଅତିରିକ୍ତ ଶୁକ୍ଳ ଦେବାକୁୁ ପଡ଼ିବ। ମାସକୁ ୩ଥର ଜମା କରିବା ମାଗଣା ରହିବ କିନ୍ତୁ ଚତୁର୍ଥ ଥର ଜମା କଲେ ଗ୍ରାହକଙ୍କୁ ୪୦ ଟଙ୍କା ଦେୟ ଦେବାକୁ ପଡ଼ିବ। ସେହିପରି ମାସକୁ ୩ଥରରୁ ଅଧିକ ଟଙ୍କା ଉଠାଣ କଲେ ୧୫୦ ଟଙ୍କା ଅତିିରିକ୍ତ ଦେୟ ଦେବାକୁ ପଡ଼ିବ।

ଏସ୍‌ବିଆଇ ସଞ୍ଚୟ ଖାତାରେ ମିଳିବ କମ୍‌ ସୁଧ:
ନଭେମ୍ବର ପହିଲାରୁ ଏସବିଆଇର କେତେକ ଗୁରୁିତ୍ବପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏସ୍‌ବିଆଇ ସଞ୍ଚୟ ଖାତାରେ କମ୍‌ ସୁଧ ମିଳିବ। ଯେଉଁ ସଞ୍ଚୟ ଖାତାଗୁଡ଼ିକରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ରହିଛି ନଭେମ୍ବର ୧ରୁ ଏହା ଉପରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ ଘଟି ୩.୨୫% ହୋଇଯିବ। ଅନ୍ୟପକ୍ଷରେ, ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜମାରାଶି ଥିବା ଖାତାରେ ରେପୋରେଯ୍‌ ହିସାବରେ ସୁଧ ମିଳିବ।

ଡିଜିଟାଲ ପେମେଣ୍ଟରେ ଲାଗିବ ନାହିଁ ଚାର୍ଜ:
ନଭେମ୍ବର ୧ ଅର୍ଥାତ୍‌ ଆସନ୍ତାକାଲିଠୁ ଏବେ ୫୦ କୋଟିରୁ ଅଧିକ ଟର୍ନଓଭର ଥିବା ବ୍ୟବସାୟୀ ମାନେ ଡିଜିଟିଲା ପେମେଣ୍ଟ ନେବା ଅନିବାର୍ଯ୍ୟ। ଆରବିଆଇର ଏହି ନିୟମ ୧ ନଭେମ୍ବରରୁ ଲାଗୁ ହେବ। ନୂଆ ବ୍ୟବସ୍ଥା ମୁତାବିକ ଗ୍ରାହକ ଡିଜିଟାଲ ପେମେଣ୍ଟ କରିଲେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଏ ନିୟମ କେବଳ ୫୦ କୋଟିରୁ ଅଧିକ ଟର୍ନଓଭର ଥିବା ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ।

Comments are closed.