ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବଢୁଛି ବିରୋଧ

ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ବିରୋଧ। ଗତକାଲି ଲେଖାଶ୍ରୀ କହିଥିଲେ, ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ। ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିବାକୁ ପାଇଲେ। ଲେଖାଶ୍ରୀଙ୍କ ଏପରି ବୟାନକୁ ନେଇ ବିରୋଧ ବଢୁଛି।
ଏହି ଘଟଣାକୁ ନେଇ ସାଂସଦ ଅମର ପଟ୍ଟନାୟକ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ଅମର ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ଆଗରୁ ଜୟ ପଣ୍ଡା କହିଥିଲେ ଓଡ଼ିଶା ପାକିସ୍ତାନ ପରି , ଆଉ ଏବେ ଏକଥା। ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ୍। ଓଡ଼ିଶାର ଜନତା, ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡ଼ିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ।
ଆଗ କହିଲେ ଓଡିଶା ପାକିସ୍ତାନ ପରି (@PandaJay) ଆଉ ଏବେ ଏକଥା! ଓଡ଼ିଶା ଏବଂ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ। ୩ ବର୍ଷର ପିଲାଟିଏ ମଧ୍ୟ ଜାଣେ, ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ପୁରୀ କେଉଁଠାରେ | ସେ କଲିକତାର ମଧ୍ୟ ପ୍ରଭୁ, ଏଥିରେ ଦ୍ୱିରୁକ୍ତି ନାହିଁ ! (1/3) pic.twitter.com/ATBxlvBGT7
— Dr. Amar Patnaik (@Amar4Odisha) November 17, 2020
ଏହି ମାମଲାରେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ବର୍ଷିଛନ୍ତି। ସୁର କହିଛନ୍ତି ପ୍ରଭୁ ଜଗନ୍ନାଥ ହିମାଳୟ। ତାଙ୍କ ଆଗରେ ସମ୍ୱିତ୍ ପାତ୍ର ଧୂଳି ବି ହେବେ ନାହିଁ। ମାଡାମ୍ ଲେଖାଶ୍ରୀ କାହାକୁ କାହା ସହିତ ତୁଳନା କରୁଛନ୍ତି। ତାଙ୍କର ମତିଭ୍ରମ ଘଟିଲାଣି ବୋଲି ସୁର ରାଉତରାୟ କହିଛନ୍ତି।
ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାକୁ ନେଇ କହିଛନ୍ତି, ଲେଖାଶ୍ରୀ ସାମନ୍ତ ସିଂହାର ଯଦି ଏଭଳି କଥା କହିଛନ୍ତି ତାହେଲେ ଏହା ହାସ୍ୟାସ୍ପଦ। ସେ ଏନେଇ ଦୁଃଖ ପ୍ରକାଶ କରିବା କଥା। ଜଗନ୍ନାଥ ଧାମ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ୱରେ ପରିଚିତ, ସମ୍ବିତ ପାତ୍ର ପାଇଁ ନୁହେଁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ପୁରୀ ନେଇ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ଓ ଅପମାନ ସୂଚକ ମନ୍ତବ୍ୟ ରାଜ୍ୟ ବିରୋଧୀ। ସେ ଯେଉଁଭଳି ଭାବେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି,ସେହିଭଳି ଭାବେ ବଡଦାଣ୍ଡ ଯାଇ ପ୍ରଭୁ ଜଗନ୍ନାଥକୁ ଭୁଲ ମାଗନ୍ତୁ। ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ କୁହାଯାଇଛି।
ସେହିପରି ପୁରୀ ଟାଉନଥାନାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏତଲା ଦାୟର କରାଯାଇଛି। ଲେଖାଶ୍ରୀ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ପୁରୀକୁ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।