ପିଏମ-କିଷାନ ନିଧି ଯୋଜନା: ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଛନ୍ତି। ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ୧୮,୦୦୦ କୋଟି ଟଙ୍କା ରିଲିଜ୍ କରାଯାଇଛି। ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତିରେ କୃଷକଙ୍କ ଖାତାରେ ୬୦୦୦ ଟଙ୍କା ପଠାଯାଏ। ୨୦୦୦ ଟଙ୍କାର ରାଶି ତିନୋଟି କିସ୍ତିରେ କୃଷକଙ୍କ ଖାତାରେ ଡିପୋଜିଟ୍ କରାଯାଏ। ଏଥିସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ୬ଟି ରାଜ୍ୟର କୃଷକଙ୍କ ସହ କଥା ହେଉଛନ୍ତି।
ପିଏମ-କିଷାନ ଓ କେନ୍ଦ୍ର ସରକାରଙ୍କ ଅନ୍ୟ କୃଷି କଲ୍ୟାଣ ଯୋଜନାକୁ ନେଇ କୃଷକମାନେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ଓଡ଼ିଶାର ଜଣେ କୃଷକ, କୃଷକମାନଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ବିଷୟରେ କହିବା ସହ ଏହାଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଉପକାର କଥା କହିଛନ୍ତି। ଏହି ଅବସରରେ ନୂଆ କୃଷି ଆଇନ ସମ୍ବନ୍ଧରେ ମିଥ୍ୟା ଏବଂ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ସେ ବିରୋଧୀ ଦଳମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।
ଅନ୍ୟ ପକ୍ଷରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୃଷି ଆଇନକୁ ପ୍ରାୟ ବର୍ଷଟିଏ ଲାଗୁ କରାଯାଉ। ଯଦି ଏହାଦ୍ୱାରା କୃଷକମାନଙ୍କର ଉପକାର ନ ହୁଏ ତେବେ ଆବଶ୍ୟକ ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ହେବୁ ବୋଲି କହିଛନ୍ତି।