ଜନନୀ ଯନ୍ତ୍ରଣା: ପ୍ରସୂତୀଙ୍କୁ କାନ୍ଧରେ ବୋହି ୪ କି.ମି ଚାଲିଲେ ମହିଳା

ଜୟପୁର: ପୁଣିଥରେ ରାଜ୍ୟରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବିଜାଘାଟିପଞ୍ଚାୟତ ତଳଗଡ଼ତି ଗାଁରେ। ରାସ୍ତା ଭଲ ନଥିବାରୁ ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ। ଯାହାଫଳରେ ପ୍ରସୂତୀଙ୍କୁ କାନ୍ଧରେ ବୋହି ୪ କିଲୋମିଟର ଚାଲିଲେ ମହିଳା। ଏମିତି ଏକ ଦୃଶ୍ୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଗାଁକୁ ଭଲ ରାସ୍ତା ନଥିବାରୁ ୪ କିଲୋମିଟର ଦୂର ଦାମନଯୋଡ଼ି ସାଉଥ ବ୍ଲକ୍ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ। ଗୋଟିଏ ପଟେ ପ୍ରସୂତୀଙ୍କ ଯନ୍ତ୍ରଣା ଆଉ ଅନ୍ୟପଟେ ଆମ୍ବୁଲାନ୍ସ ଅଟକି ଯିବା ପରେ ଗାଁର କିଛି ମହିଳା ଏହାକୁ ସହ୍ୟ କରିପାରିନଥିଲେ। ଆଉ ସମସ୍ତେ ମିଶି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ମାଥଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।