Odisha Link
Bridging the Missing Links in Odisha

ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ କୁମାର ଜେନା। ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ୱ ତୁଲାଇ ସାରିଛନ୍ତି। ବର୍ତମାନ ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚର ଆଇଏଏସ୍ ହେଉଛନ୍ତି ପ୍ରଦୀପ ଜେନା।

ରାଜ୍ୟରେ କରୋନା ଟିକାକରଣ, ଶ୍ରୀମନ୍ଦିର ବିକାଶ ପରି ଅନେକ ଚ୍ୟାଲେଂଜ ରହିବ ତାଙ୍କ ପାଇଁ। ସୁରେଶ ମହାପାତ୍ର ପଦବୀ ଛାଡିବା ପରେ ପିକେ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୬୪ ମସିହାରେ ଜନ୍ମ ପ୍ରଦୀପ ଜେନା ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ୧୯୯୯ ମସିହା ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ପଦରେ ଥିଲେ। ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ।

ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି। କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

Comments are closed.