ଏଲଆଇସି ଏମ୍ଡି ହେବେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ: ଦେଶର ନାମୀଦାମୀ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆଙ୍କ ପତିଆରା ବଢ଼ିଚାଲିଛି। ଏନେଇ ଓଡ଼ଆଙ୍କୁ ନେଇ ପୁଣି ଆସିଛି ଖୁସି ଖବର। ଆଉ ଜଣେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ରାଜ୍ୟବାସୀଙ୍କୁ ଗର୍ବିତ କରିଛନ୍ତି। ସିଦ୍ଧାର୍ଥ ଆସନ୍ତା ଫେବ୍ରୁଆରୀ ୧ରୁ ଦେଶର ସର୍ବବୃହତ୍ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଏମ୍ଡି ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଏଲ୍ଆଇସି ହାଉସିଂ ଫାଇନାନ୍ସର ଏମ୍ଡି ତଥା ସିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି।
ନୂଆ ଦାୟିତ୍ୱରେ ସେ ୨୦୨୩ ଜୁନ୍ ୩୦ ଯାଏ ଏଲ୍ଆଇସିର ଏମ୍ଡି ପଦରେ ରହିବେ। ଚଳିତମାସ ୩୧ ତାରିଖରେ ଟି.ସି. ସୁଶୀଲ କୁମାର ଅବସର ନେଉଥିବାବେଳେ ତାଙ୍କ ସ୍ଥାନରେ ସିଦ୍ଧାର୍ଥ ଅବସ୍ଥାପିତ ହେବେ। ସିଦ୍ଧାର୍ଥଙ୍କୁ ଏଲ୍ଆଇସିର ଏମ୍ଡି ପଦରେ ନିଯୁକ୍ତି ଦେବା ଲାଗି ଆର୍ଥିକ ସେବା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ର ନିଯୁକ୍ତି କମିଟି ଗ୍ରହଣ କରିଥିବା ଜଣାଯାଇଛି।
ଏଲ୍ଆଇସିରେ ୪ ଜଣ ଏମ୍ଡି ଅଛନ୍ତି ଏବଂ ଜଣେ ଅଧ୍ୟକ୍ଷ। ଏମ୍. ଆର୍. କୁମାର ଅଧ୍ୟକ୍ଷ ପଦରେ ଥିବାବେଳେ ଟି. ସି. ସୁଶୀଲ କୁମାର, ବିପିନ ଆନନ୍ଦ, ମୁକେଶ କୁମାର ଗୁପ୍ତା ଏବଂ ରାଜ କୁମାର ଏମ୍ଡି ପଦରେ ଅଛନ୍ତି। ପୂର୍ବରୁ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ଣ୍ଣର ବି.ପି. କାନୁନ୍ଗୋ, ମାଇକେଲ ଦେବବ୍ରତ ପାତ୍ର ଏବଂ ପୂର୍ବତନ ଆର୍ବିଆଇ ଡେପୁଟି ଗଭର୍ଣ୍ଣର ଏଚ୍. ଆର୍. ଖାନ ପ୍ରମୁଖ ଓଡ଼ିଶାକୁ ଗର୍ବିତ କରିସାରିଛନ୍ତି।