ମହିଳାଙ୍କ ମୁଣ୍ଡକାଟ ଘଟଣା: ପୋଷ୍ଟର ମାରିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣାରେ ଆଜି ଆଉ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ପୋଷ୍ଟର ମାରିଛି। ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ପୁଲିସ ଉକ୍ତ ପୋଷ୍ଟରରେ ୨ଟି ଫୋନ ନମ୍ବର ବି ଜାରି କରିଛି। ସମ୍ପୃକ୍ତ ନମ୍ବରଗୁଡ଼ିକ ହେଲା-୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬। ଯଦି କୌଣସି ବ୍ୟକ୍ତ ସମ୍ପୃକ୍ତ ମହିଳା ସମ୍ପର୍କରେ କିଛି ବି ଜାଣିଥାନ୍ତି ତେବେ ପୁଲିସକୁ ଉକ୍ତ ନମ୍ବରରେ କଲ କରି ଜଣାଇବାକୁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦାସପୁର ଗାଁର ଜଣେ ବାସିନ୍ଦା ସେହି ରାସ୍ତାରେ ଯିବା ବେଳେ ମୃତଦେହଟି ତାଙ୍କ ନଜରକୁ ଆସିଥିଲା। ମୃତଦେହକୁ ନିରିଖେଇକି ଦେଖିବାରୁ ଜଣାପଡିଥିଲା ଯେ, ମହିଳାଙ୍କ ଶରୀରରେ କେବଳ କୁର୍ତ୍ତି ଥିଲା। ଅନ୍ତବସ୍ତ୍ର ପିନ୍ଧିଥିଲେ। ହାତରେ ନାଲି ଶଙ୍ଖା ପିନ୍ଧିଥିଲାବେଳେ ତାଙ୍କ ଡାହାଣ ହାତ କହୁଣୀ ତଳେ ‘ଓଁ’ ଲେଖାଥିବା ଏକ ଟାଟୁ ଥିଲା। ମୃତଦେହଠୁ କେଇ ମିଟର ଦୂରରେ ଭୂଇଁରେ ପ୍ରଚୁର ରକ୍ତ ପଡ଼ିଥିଲା। ପାଖରେ ପଡ଼ିଥିବା ଧାରୁଆ ଛୁରିରେ ରକ୍ତ ଛିଟା ଓ କିଛି ଚୁଟି ଲାଗିଥିଲା। ବୁଦା ଭିତରେ ୨ଟି ରକ୍ତ ଭିଜା ଗ୍ଲୋଭସ୍ ପଡ଼ିଥିଲା। ମହିଳାଙ୍କ ଦୁଇ ଜଙ୍ଘ ଛାଲି ହୋଇଯାଇଥିଲା। ଲାଗୁଥିଲା କେହି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଆଣି ସେଠାରେ ଫିଙ୍ଗିଛି।
ଖବର ପ୍ରଚାର ହେବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଗହଳି ବଢ଼ିଥିଲା। ମୁଣ୍ଡ ବିହୀନ ଏହି ଶବକୁ ଦେଖି ସଭିଏଁ ଛାନିଆ ହୋଇଯାଇଥିଲେ। ଘଟଣାସ୍ଥଳରେ ସ୍ପେଶାଲ ସ୍କ୍ୱାଡ୍ର ମୁଖିଆ ସଞ୍ଜୀବ ଶତପଥୀଙ୍କ ସହ ଚନ୍ଦକା ଥାନା, ଭରତପୁର ଥାନା ପୁଲିସ୍ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଡିସିପି ଉମାଶଙ୍କର ଦାଶ ମଧ୍ୟ ସେଠାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ଫେରିଥିଲେ। ପ୍ରାୟ ଘଣ୍ଟାଏ ଭିତରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚିଗଲା। ପରେ ଆରମ୍ଭ ହେଲା ପୁଲିସ୍ ଟିମ୍ର ମୁଣ୍ଡ ଖୋଜିବା ଅଭିଯାନ। ମୃତଦେହଠୁ ଲମ୍ବିଥିବା ମୋରମ ରାସ୍ତାର ଶହେ ମିଟର ଦୂରରେ ଏକ ବ୍ୟାଗ୍ ମିଳିଥିଲା। ଯେଉଁଥିରେ ମହିଳା କିଛି ଡ୍ରେସ୍, ଶାଢ଼ୀ ଓ ଅନ୍ତବସ୍ତ୍ର ଥିଲା।