ମର୍ମନ୍ତୁଦ ରେଳ ଦୁର୍ଘଟଣା, ୩୬ ମୃତ
ଦୁର୍ଘଟଣାରେ ୭୨ରୁ ଅଧିକ ଯାତ୍ରୀ ଆହତ

ତାଇୱାନ: ମର୍ମନ୍ତୁଦ ରେଳ ଦୁର୍ଘଟଣା। ଦୁର୍ଘଟଣାରେ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି ପୂର୍ବ ତାଇୱାନରେ। ଏଥିସହ ଏହି ଦୁର୍ଘଟଣାରେ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ସପ୍ତାହନ୍ତ ଛୁଟି ଅବସରରେ ଅନେକ ପର୍ଯ୍ୟଟକଙ୍କୁ ନେଇ ତାଇପେଇରୁ ତାଇତୁଙ୍ଗ୍ ଅଭିମୁଖେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍ ଟ୍ରେନ୍ଟି ପୂର୍ବ ତାଇଓ୍ଵାନ୍ର ଉତ୍ତର ହୁଆଲିଏନ୍ରେ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା ବୋଲି ତାଇଓ୍ଵାନ୍ ଅଗ୍ନିଶମ ବିଭାଗ କହିଛି। ପାରମ୍ପରିକ ‘ଟୁମ୍ ସୁଇପିଙ୍ଗ୍ ଡେ’ ଲାଗି ସପ୍ତାହନ୍ତ ଛୁଟି ଆରମ୍ଭ ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।
ଟ୍ରେନ୍ରେ ପ୍ରାୟ ୩୫୦ଜଣ ଯାତ୍ରୀ ଥିଲେ ବୋଲି ଅଗ୍ନିଶମ ବିଭାଗ କହିଛି। ଟ୍ରେନ୍ର ପ୍ରଥମ ୪ଟି ବଗିରୁ ୮୦ରୁ ୧୦୦ ସଂଖ୍ୟକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୫ରୁ ୮ ପର୍ଯ୍ୟନ୍ତ ବଗି ନଷ୍ଟ ହୋଇଯାଇଥିବାରୁ ସେଠାକୁ ଉଦ୍ଧାରକାରୀମାନେ ଯାଇ ପାରୁନାହାନ୍ତି।
ଦୁର୍ଘଟଣାସ୍ଥଳରୁ ମିଳିଥିବା ଫଟୋରେ ଦେଖାଯାଉଛି ଯେ, ସୁଡ଼ଙ୍ଗ ପଥ ମଧ୍ୟରେ କେତେକ ବଗି ନଷ୍ଟ ହୋଇ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ଚେପା ହୋଇଯାଇଛି। ଫଳରେ ଉଦ୍ଧାରକାର୍ଯ୍ୟରେ ଅସୁବିଧାରେ ଉପୁଜୁଛି।
ତାଇଓ୍ଵାନ୍ ରେଳବାଇ ପ୍ରଶାସନ କହିଛି, ଟ୍ରେନ୍ର ସମ୍ମୁଖ ଭାଗଟି ସୁଡ଼ଙ୍ଗ ପଥ ବାହାରକୁ ଚାଲି ଆସିଥିଲା। ସୁଡ଼ଙ୍ଗ ପଥ ଭିତରେ ଥିବା ବଗିଗୁଡ଼ିକୁ ବାହାରକୁ ଅଣାଯାଉଛି।