Odisha Link
Bridging the Missing Links in Odisha

ମାସ୍କ ନପିନ୍ଧିଲେ ୨ ଗୁଣା ଜରିମାନା: ମୁଖ୍ୟମନ୍ତ୍ରୀ

ଆଜିଠୁ ୧୪ ଦିନ ମାସ୍କ ଅଭିଯାନ

ଭୁବନେଶ୍ୱର: ପୁଣି ଘାରିଛି କରୋନାର ଦ୍ବିତୀୟ ଲହରୀ। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ଷେରୁ ଅଧିକ ସମୟ ହେଲା ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି। ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସିନଥିଲା।

କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଏବଂ କୋଭିଡ୍ ଯୋଦ୍ଧା ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ। ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା।

କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା। ଲକଡାଉନରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବେପାର ବଣିଜ କ୍ଷତିରେ ଚାଲିଥିଲା। ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା।

ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ ଶୀଘ୍ର ବ୍ୟାପୁଛି। ଦେଶର ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଆରମ୍ଭ ହେଲାଣି। ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା।

ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶ ମାସ୍କ ଅଭିଯାନ ଆରମ୍ଭ କରିବା। ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ। ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା। ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ।

ତେବେ ଯାଇ ଆମେ କରୋନାଠାରୁ ଜିତି ପାରିବା। ମାଆମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ବି ଘରୁ ବାହାରକୁ ଗଲେ ଆପଣ ସେମାନଙ୍କୁ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଅନ୍ତୁ। ମାଆମାନେ ସତର୍କ ହେଲେ ଘରକୁ କରୋନା ଆସିପାରିବ ନାହିଁ। ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ।

ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ଲାଗି ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଟିକା ନେଇଥିବା ଲୋକ ନନେଇ ଥିବା ଲୋକ ମାସ୍କ ପିନ୍ଧନ୍ତୁ। ତାହେଲେ ଯାଇ ଆମେ ଲକଡାଉନକୁ ରୋକି ପାରିବା। ଜୀବନ ସହ ଜୀବିକାକୁ ଆଗେଇ ନେବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ।

ଏବେ କରୋନାର ଦ୍ୱିତୀୟ ଲହର ଦେଶରେ ଚାଲିଥିବା ବେଳେ ଅନ୍ୟ କେତେକ ଦେଶର ତୃତୀୟ ଲହର ଆସିଛି। ମାସ୍କକୁ ଜୀବନର ସାଥି କରିପାରିଲେ ଆମେ କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.