ମୁହଁ ବଦଳରେ ମନ୍ତ୍ରୀଙ୍କ ପାଦରେ ମାସ୍କ, ଟ୍ରୋଲ ହେଲେ ନେତା

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଉଛନ୍ତି ସରକାର। ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଉପରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି । ଯାହାଫଳରେ ଆମେ କରୋନା ସଂକ୍ରମଣରୁ ଦୁରେଇ ରହିପାରିବା ବୋଲି ବିଶେଷଜ୍ଞ ଏବଂ ଡାକ୍ତର ମାନେ ମତ ରଖୁଛନ୍ତି । ଆଉ ଯିଏ ଏହି କଟକଣାକୁ ଅବମାନନା କରୁଛନ୍ତି ସେମାନଙ୍କଠୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି।
ହେଲେ ମାସ୍କ ନପିନ୍ଧି ଖୁଲମଖୁଲା କଟକଣାକୁ ଫୁ କରୁଛନ୍ତି ନେତା, ମନ୍ତ୍ରୀ। ଏସବୁ ମଧ୍ୟରେ ଜଣେ ମନ୍ତ୍ରୀଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା। ଚର୍ଚ୍ଚାରେ ଥିବା ମନ୍ତ୍ରୀ ଜଣଙ୍କ ମୁହଁ ବଦଳରେ ଗୋଡ଼ରେ ମାସ୍କ ଝୁଲାଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଚର୍ଚ୍ଚାରେ ହତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ୟତିଶ୍ୱରନନ୍ଦ।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ୟତିଶ୍ୱରନନ୍ଦଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ମନ୍ତ୍ରୀ ମୁହଁରେ ମାସ୍କ ନ ପିନ୍ଧି ଗୋଡ ଆଙ୍ଗୁଠିରେ ଝୁଲାଇଛନ୍ତି। ଏହି ଫଟୋରେ ମନ୍ତ୍ରୀ ସ୍ୱାମୀ ୟଥେଶ୍ୱରାନନ୍ଦ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ସୁବୋଧ ୟୁନିୟାଲ ଏବଂ ବିଶ୍ୱ ସିଂ ଚୁଫାଲ ମଧ୍ୟ ନଜର ଆସୁଛନ୍ତି । ସେମାନେ ମଧ୍ୟ ବିନା ମାସ୍କରେ ଏଠାରେ ବସିଥିବା ନଜର ଆସିଛନ୍ତି । ଯାହାଫଳରେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସମାଲୋଚନାର ଶିକାର ହୋଇଛନ୍ତି ମନ୍ତ୍ରୀ।
ଅପରପକ୍ଷରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ ପ୍ରୋଟୋକଲକୁ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି କହିଛନ୍ତି। କଂଗ୍ରେସ ବିଧାୟକ କାଜୀ ନିଜାମୁଦ୍ଦିନ କହିଛନ୍ତି ଯେ,କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ୟଥେଶ୍ୱରାନନ୍ଦଙ୍କ ଗୋଡରେ ମାସ୍କ ଟାଙ୍ଗିଥିବା ଚିତ୍ର ଦର୍ଶାଉଛି ଯେ ସେ ଏବଂ ତାଙ୍କ ସରକାର କୋଭିଡ ନିର୍ଦ୍ଦେଶାବଳୀକୁ ସେମାନଙ୍କ ପାଦ ତଳେ ରଖିଛନ୍ତି।