Odisha Link
Bridging the Missing Links in Odisha

ଟୋକିଓ ଟ୍ରାକରେ ନିରାଶ କଲେ ଦୂତି, ମା’ କହିଲେ-କର୍ମ କରିଥିଲେ ସିନା ଫଳ ପାଇଥାନ୍ତା…

ଯାଜପୁର: ଟୋକିଓ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଥିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ହେଲେ କ୍ବାଲିଫାଏ କରିବାରେ ବିଫଳ ହୋଇଥିଲେ ଦୂତି। ଯାହାରିଫଳରେ ଦୂତିଙ୍କ ପରିବାର ଓ ଯାଜପୁରରେ ଥିବା ତାଙ୍କ ଗ୍ରାମବାସୀ ନିରାଶ ହୋଇଛନ୍ତି। କେବଳ ସେତିକି ନୁହେଁ କିଟ୍‌ ଓ ଦୂତିଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକେ।

ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ ସଫଳତା କାମନା କରି ତାଙ୍କ ମା’ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଥିଲେ। ଏହାସହ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା। ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ଯ ଦୂତିଙ୍କ ନିଜ ଗାଁ ଚକଗୋପାଳପୁର ଗାଁରେ ପହଞ୍ଚି ମଲିଆବୁଢି ଗ୍ରାମଦେବୀଙ୍କ ନିକଟରେ ତାଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ହେଲେ ଦୂତି ଟ୍ରାକରେ କମାଲ କରିବାରେ ବିଫଳ ହୋଇଥିଲେ। ଦୂତିଙ୍କ ମା’ ଅଖଜି ଚାନ୍ଦ ଗଣମାଧ୍ୟମକୁ କହିଛନ୍ତି ଯେ, “କର୍ମ କରିଥିଲେ ସିନା ଫଳ ପାଇଥାନ୍ତା, ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ।” ଏହାସହିତ ୨୦୦ ମିଟର ଇଭେଣ୍ଟରେ ଦୂତି ଦମଦାର ପ୍ରଦର୍ଶନ କରି ଓଡ଼ିଶା ଓ ଭାରତର ନାଁ ରଖିବେ ବୋଲି ପରିବାର ଲୋକେ ଆଶା କରିଛନ୍ତି।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କଲେ ଦୂତି। ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂଳିସାତ ହୋଇଛି । ଶହେ ମିଟରରେ ଦୌଡ଼ିଥିବା ମୋଟ୍ ୫୪ ପ୍ରତିଯୋଗୀଙ୍କ ଭିତରେ ଦୂତୀ ୪୫ତମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.