Odisha Link
Bridging the Missing Links in Odisha

ମମତାଙ୍କ ‘ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ’ ନାରା, ପାଓ୍ବାର କରିଡରରେ ଚର୍ଚ୍ଚା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜି ମାରିବା ପରେ ଦିଲ୍ଲୀ ଦଖଲ କରିବା ମୁଡରେ ମମତା ବାନାର୍ଜୀ। ଦିଦିଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ ସାରା ଦେଶର ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ଏଥିସହିତ ମିଶନ ୨୦୨୪ ପାଇଁ ଏବେଠୁ ସଜବାଜ ହେଉଛନ୍ତି ଦିଦି। ଦିଲ୍ଲୀ ଦଖଲ ମୁଡରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତ ସାରି କୋଲକାତା ଫେରିଛନ୍ତି।

କୋଲକାତାରେ ପାଦ ଥାପୁ ଥାପୁ ମମତା କହିଛନ୍ତି ଯେ, ସେ ଏବେ ପ୍ରତି ଦୁଇ ମାସରେ ଥରେ ରାଜଧାନୀ ଦିଲ୍ଲୀ ଗସ୍ତ କରିବେ। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହେବାକୁ ପ୍ରୟାସ ଚଳାଇଥିବା ମମତା ‘ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ’ ନାରା ଦେଇଛନ୍ତି। ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦିଲ୍ଲୀ ଗସ୍ତକୁ ସଫଳ ଦର୍ଶାଇ ମମତା କହିଛନ୍ତି, ସେ ରାଜନୈତିକ ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେ ଚାହାନ୍ତି ଗଣତନ୍ତ୍ର ଜାରି ରହୁ।

ସୂଚନାଯୋଗ୍ୟ, ମମତା ୫ ଦିନିଆ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସହିତ ବିରୋଧୀ ଦଳର ଅନେକ ନେତାଙ୍କୁ ଭେଟିଛନ୍ତି। ଏଥିସହ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଅପରପକ୍ଷେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Leave A Reply

Your email address will not be published.