Odisha Link
Bridging the Missing Links in Odisha

ଇସ୍ରୋର ମିଶନକୁ ଝଟ୍‌କା: ବିଫଳ ହେଲା ‘EOS-03’ ଉତକ୍ଷେପଣ

ନୂଆଦିଲ୍ଲୀ: ଇସ୍ରୋର ମିଶନକୁ ଝଟକା। ଭାରତର ଆଇ ଇନ୍‌ ସ୍କାଏ ମିଶନ ବାଧାପ୍ରାପ୍ତ। ଅଧାରେ ଅଟକିଲା EOS-03, ଅତ୍ୟାଧୁନିକ ସାଟେଲାଇଟ୍ ଜିସାଟ୍ -୧ର ଉତକ୍ଷେପଣ ବିଫଳ ହୋଇଛି। ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର ୧୮ ମିନିଟ୍ ପରେ କ୍ରାୟୋଜେନିକ୍ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମିଶନ ସଂପୂର୍ଣ୍ଣ ଭାବେ ସଫଳ ହୋଇ ପାରି ନଥିଲା। ଏହି ଘଟଣାର କିଛି ସମୟ ପରେ ମିଶନକୁ ବନ୍ଦ କରିବାକୁ ଇସ୍ରୋ ମୁଖ୍ୟ କେ ଶିବନ ଘୋଷଣା କରିଛନ୍ତି।

ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଜିଏସ୍‌ଏଲଭି-ଏଫ୧୦ର ଉତକ୍ଷେପଣ ଭାରତୀୟ ସମୟ ଭୋର ୫.୪୩ରେ ହୋଇଥିଲା। ଏଥିପାଇଁ ଭୋର ୩.୪୩ରୁ କାଉଣ୍ଟଡାଉନ ଆରମ୍ଭ କରାଯାଇଥିଲା। ଉତକ୍ଷେପର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଥିଲା। ତେବେ କ୍ରୟୋଜେନିକ ଇଞ୍ଜିନର ଉପରି ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ସଫଳ ହୋଇନାହିଁ।

GSLV-F10 ମାଧ୍ୟମରେ EOS-3 ଲଞ୍ଚ ହେବା ପ୍ରକ୍ରିୟା ୧୮.୩୯ ମିନିଟ୍ ଧରି ଚାଲିଥିଲା। କିନ୍ତୁ EOS-3 ପୃଥକ ହେବା ପୂର୍ବରୁ, କ୍ରାୟୋଜେନିକ୍ ଇଞ୍ଜିନରୁ ସିଗ୍ନାଲ ମିଳିବା ବନ୍ଦ ହୋଇଯାଇଥିଲା। କିଛି ସମୟ ଧରି ବୈଜ୍ଞାନିକମାନେ ସିଗ୍ନାଲ ପାଇଁ ଅପେକ୍ଷା କରିଥିଲେ। ହେଲେ ଏହା ସମ୍ଭବ ହୋଇପାରି ନଥିଲା। ଶେଷରେ ମିଶନ ଫେଲ ବୋଲି ଘୋଷଣା କରାଯାଇଥିଲା।

ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ।ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଛି।

Leave A Reply

Your email address will not be published.