Odisha Link
Bridging the Missing Links in Odisha

ସ୍ତ୍ରୀ ଗାଧୋଉ ନଥିବାରୁ ଛାଡ଼ପତ୍ର ମାଗିଲେ ସ୍ବାମୀ

ଅଲିଗଡ଼: ସ୍ତ୍ରୀ ଗାଧୋଉନ ଥିବାରୁ ଛାଡ଼ପତ୍ର ମାଗିଲେ ସ୍ବାମୀ। ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି। ଏହା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଖବର ସାମନାକୁ ଆସିଛି ଅଲୀଗଡ଼ରରୁ।

ଏଠାରେ ରହୁଥିବା ଜଣେ ଯୁବକ କହିଛନ୍ତି ଯେ, ଦୁଇ ବର୍ଷ ତଳେ ପାଖ ଗାଁର ଏକ ଯୁବତୀଙ୍କ ସହ ବିବାହ ହୋଇଥିଲା। ବିବାହକୁ ଦୁଇମାସ ନ ପୂରୁଣୁ ସେମାନଙ୍କ ମଧ୍ୟରେ ଗାଧୋଇବାକୁ ନେଇ ଯୁକ୍ତିତର୍କ ହେବା ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ, ସେ ପ୍ରତିଦିନ ନିଜ ପତ୍ନୀଙ୍କୁ ଗାଧୋଇବାକୁ ନେଇ ବୁଝାନ୍ତି। କିନ୍ତୁ ତାଙ୍କ ପତ୍ନୀ ଆଦୌ ନ ବୁଝି ଓଲଟି ତାଙ୍କ ସହିତ ଝଗଡ଼ା କରିବା ଆରମ୍ଭ କରନ୍ତି।

ଏହା ଭିତରେ ସେମାନଙ୍କୁ ଏକ ପୁଅ ଜନ୍ମ ହୋଇଥିଲା। ହେଲେ ଏହାପରେ ବି ବିବାଦ ଥମିନଥିଲା। ଆଉ ଏହାପରେ ଯୁବକ ଜଣକ ମହିଳା ସୁରକ୍ଷା ସେଲ୍ରେ ଯାଇ ଘରୋଇ କଳହ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଯୁବକଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ, ତାଙ୍କ ପତ୍ନୀ ଗାଧୋଉ ନାହାନ୍ତି। ତେଣୁ କଳହ ଲାଗି ରହୁଛି।

ତେଣୁ ସେ ଏବେ ନିଜ ପତ୍ନୀଙ୍କ ସହିତ ରହିବାକୁ ଚାହୁଁନାହାନ୍ତି ତାଙ୍କୁ ଛାଡ଼ପତ୍ର ଦରକାର। ତେବେ ମାମଲା ବିଷୟରେ ଶୁଣି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏବେ ସେମାନଙ୍କର କାଉନ୍ସିଲିଂ ଜାରି ରହିଛି।