Odisha Link
Bridging the Missing Links in Odisha

ଆଜି ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ: ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬ ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। କୋରାପୁଟ ବଦଳରେ ଏଥର ଏ ଉତ୍ସବ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି। ଏ ଅବସରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ କଥାକାର ଶ୍ରୀ ଦାଶ ବେନହୁର ଓ ପ୍ରସିଦ୍ଧ କବି ଶ୍ରୀ ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ଦିଆଯିବ। ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ୨୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି।

ଭୁବନେଶ୍ବରର ହୋଟେଲ ଏକ୍ସେଲେନ୍ସି ପରିସରରେ ଡିସେମ୍ବର ୨୬ ପୂର୍ବାହ୍ଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରିବେ। ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିବେ । ସମାନ ଦିନ ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବ ଓ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତାଙ୍କ ସହ ଜଣାଶୁଣା ଲେକକ ଓ ପ୍ରଶାସନ ଶ୍ରୀ ଆର୍‌ ବାଲାକ୍ରୀଷ୍ଣନ୍, ପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ପ୍ରସିଦ୍ଧ ତେଲୁଗୁ କବି ନିଖିଳେଶ୍ବର, ଟିମ୍‌ ଆଡମାର୍କ୍‌ର ନିର୍ଦ୍ଦେଶକ ଶ୍ରୀ ନିଶିକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ।

ଉପାନ୍ତକୁ କେନ୍ଦ୍ରରେ ଥୋଇବାର ଉପକ୍ରମ ଭାବେ ଚଳିତ ଥର ଉତ୍ସବକୁ ଭୁବନେଶ୍ବରରେ ଆୟୋଜନ କରାଯାଉଛି ବୋଲି ଶ୍ରୀ ପଣ୍ଡା ସୂଚା ଦେଇଛନ୍ତି। ସେ କହିଛନ୍ତି ଭୌଗୋଳିକ ପରିସୀମା ଆଉ ଦୂରତ୍ବ ନିର୍ଧାରଣ କରୁନାହିଁ। ଏବେ ଉପାନ୍ତ ହିଁ କେନ୍ଦ୍ରର କେନ୍ଦ୍ର ପାଲଟିଛି। ଏହି ମାଧ୍ୟାକର୍ଷକ ପରିବର୍ତ୍ତନକୁ ଉପସ୍ଥାପନା କରିବାକୁ ଚେଷ୍ଟାକରୁଛି କୋରାପୁଟ ସାହିତ୍ୟ ଉତ୍ସବ। କୋରାପୁଟ କେବଳ ଓଡ଼ିଶା ମାନଚିତ୍ରର ଏକ ସୀମାନ୍ତ ଜିଲ୍ଲା ନୁହେଁ। ଏହାର ସାହିତ୍ୟିକ, ସାଂସ୍କୃତି ଓ ରାଜନୈତିକ ବିଭବକୁ ମୁଖ୍ୟସ୍ରୋତରେ ସାମିଲ କରିବାର ସମୟ ଆସିଛି। କାଳିଦାସଙ୍କ ରାମଗିରି କୋରାପୁଟରେ ଅବସ୍ଥିତ। ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ହମ୍ବୀରଙ୍କ ନିର୍ବାସନକାଳୀନ ରାଜଧାନୀ କୋରାପୁଟରେ ଥିଲା। ଓଡ଼ିଶାରେ ତଥା ଭାରତୀୟ କାହାଣୀରେ ଆଦିବାସୀ ଜନଜୀବନର ଅସଲ ଚିତ୍ରକୁ ଫୁଟାଇଛି କୋରାପୁଟ। ପୌରାଣିକ ଜଙ୍ଗଲ ଦଣ୍ଡକାରଣ୍ୟର ଅଂଶ ହେଉଛି କୋରାପୁଟ। ସ୍ବାଧୀନୋତ୍ତର ଭାରତରେ କୋରାପୁଟ ଦେଶର ସବୁଠୁ ବଡ଼ ମାନବ ପୁନର୍ବାସ ଯୋଜନାକୁ ସଫଳ କରିଛି।

ଦେଶର ଅନ୍ୟତମ ଆକର୍ଷକ ପର୍ଯ୍ୟଟନ କ୍ଷେତ୍ର ହେଉଛି କୋରାପୁଟ। ସାଂସ୍କୃତିକ ଓ ଶିଳ୍ପ ପଟ୍ଟଭୂମିରେ ଉଜ୍ଜ୍ବଳ କୋରାପୁଟ ଏବେ ପଡ଼ୋଶୀ ସହ ସୀମା ବିବାଦ ନେଇ ପୁଣି ଚର୍ଚ୍ଚାରେ। କୋରାପୁଟ ଆଉ ଉପାନ୍ତ ଜିଲ୍ଲାଟିଏ ହୋଇ ରହିନାହିଁ ବରଂ ରାଜଧାନୀ ଛାତିରେ ଆଲୋଚନାର ଏକ ଉପାଦାନ ହୋଇ ଉଭା ହୋଇଛି ଯାହାକୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଦିବସବ୍ୟାପୀ ଏହି ଉତ୍ସବରେ କଳା, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ବିଭିନ୍ନ ସଂପାନରେ ଆଲୋଚନା ହେବ। ପରଦିନ ଏକ ଭ୍ରାମ୍ୟମାଣ ଉତ୍ସବରେ ଯୋଗ ଦେବାପାଇଁ ଲେଖକମାନେ କୋରାପୁଟ ଯାତ୍ରକରିବେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗୌରହରି ଦାସ, ବିକ୍ରମ ଦାସ, ଶ୍ରୀ ଜଗଦାନନ୍ଦ, ସଂଜିତ ପଟ୍ଟନାୟକ, ନାରାୟଣ ପଣ୍ଡା, କୃଷ୍ଣ ସିଂହଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ କଳାକାର ଏହି ଉତ୍ସବରେ ବକ୍ତା ଭାବେ ଯୋଗଦେବେ।

Leave A Reply

Your email address will not be published.