Odisha Link
Bridging the Missing Links in Odisha

ଜିଏସ୍‌ଟି ପରିଷଦ ବୈଠକ: କ’ଣ ଶସ୍ତା, କ’ଣ ମହଙ୍ଗା ହେବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦର ୫୦ତମ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଅନେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଖାଦ୍ୟ ଉତ୍ପାଦ ଉପରୁ ମଧ୍ୟ ଜିଏସ୍‌ଟି ଛାଡ଼ କରାଯାଇଛି। ପୂର୍ବରୁ ଏହି ସବୁ ଔଷଧ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୫୦ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସେହିପରି ରୋଷେଇ ଓ ଭଜା ହୋଇନଥିବା ସ୍ନାକ୍ସ, ଫିସ୍‌ ସଲ୍ୟୁବଲ୍‌ ପେଷ୍ଟ୍‌, ଏଲ୍‌ଡି ସ୍ଲାଗ୍‌ ଓ ଇମିଟେସନ ଜରି ସୁତା ଟିକସ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଘରୋଇ ସଂସ୍ଥାର ଉପଗ୍ରହ ଉତ୍‌କ୍ଷେପଣ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ସିନେମା ହଲ୍‌ ପରିସରରେ ଥିବା ‌ରେସ୍ତୋରାଁ ଉପରେ ଲାଗିଥିବା ଟିକସକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଣିକି ସିନେମା ହଲ୍‌ରେ ଶସ୍ତା ହେବ ଖାଦ୍ୟପେୟ। ୧୦୦ ଟଙ୍କାରୁ କମ୍ ଦାମ୍‌ର ସିନେମା ଟିକସ ଉପରେ ୧୨ ପ୍ରତିଶତ ଓ ତା’ଠାରୁ ଅଧିକ ଦାମ୍‌ର ଟିକଟ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଯଦି ସିନେମା ଟିକଟ ସହିତ ପପ୍‌କର୍ଣ୍ଣ କିମ୍ବା ଥଣ୍ଡା ପାନୀୟ ଦାମ୍‌କୁ ମିଶ୍ରଣ କରାଯାଇଥିବ ତେବେ ସେଭଳି ମାମଲାରେ ସିନେମା ଟିକଟ ଉପରେ ଲାଗୁଥିବା ଟିକସ ଲାଗୁ ହେବ।

ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଉପରେ ଏଣିକି ୨୮ ପ୍ରତିଶତ ଜିଏସଟି ଲାଗିବ। ଜିଏସଟି କାଉନସିଲର ୫୦ ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଏସଟି ଆଇନର ସଂଶୋଧନ ପରେ ଏହି ନିୟମ ଲାଗୁ ହେବ। ଅନଲାଇନ୍‌ ଗେମ୍‌ରେ ‘କୌଶଳର ଖେଳ’ ଓ ‘ଭାଗ୍ୟର ଖେଳ’ ଭିତରେ କୌଣସି ପ୍ରଭେଦ ରହିବନି ବୋଲି ପରିଷଦ ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୧ରୁ ଏହା କାର୍ଯ୍ୟକାରୀ କରାଯିବ। ଏହି ଅବରରେ ଏକ ସ୍ପେସିଆଲ୍‌ କଭର ଓ ମାଇଁ ଷ୍ଟାମ୍ପ୍ ଉନ୍ମୋଚନ କରାଯାଇଛି।

Leave A Reply

Your email address will not be published.