ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ପତଞ୍ଜଳିକୁ ନୋଟିସ୍

ଓଏଲ୍ ବ୍ୟୁରୋ: ପୁଣିଥରେ ଅଡ଼ୁଆରେ ଯୋଗ ଗୁରୁ ବାବା ରାମଦେବ। ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ସୁପ୍ରିମକୋର୍ଟ ଖପ୍ପା।ପତଞ୍ଜଳି ଆୟୁର୍ବେଦ ଏବଂ ଏମଡିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ପତଞ୍ଜଳି ଓ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇବା ସହ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ ବିଭ୍ରାନ୍ତିକର ବିଜ୍ଞାପନ କିଭଳି ପ୍ରକାଶ କଲେ ସେ ନେଇ ଅଦାଲତ ମଧ୍ୟ ପ୍ରଶ୍ନ କରିଛନ୍ତି।
ଆଜି ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ଏହି ଶୁଣାଣି କରାଯାଇଥିଲା। ଔଷଧ ସଂପର୍କିତ ସବୁ ବିଜ୍ଞାପନକୁ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶ୍ବାସ, ମଧୁମେହ ସଂପର୍କିତ ରୋଗ ଭଲ ହେବାନେଇ କମ୍ପାନୀ ଦେଇଥିଲା ଭ୍ରମାତ୍ମକ ତଥ୍ୟ। ଏଥିସହ ଆଗାମୀ ନିର୍ଦ୍ଦେଶ ଯାଏଁ କୌଣସି ପ୍ରକାରର ବି ବିଜ୍ଞାପନ ଠାରୁ ଦୂରେଇ ରହିବାକୁ ବାଳକୃଷ୍ଣ ଓ ପତଞ୍ଜଳିକୁ କୋର୍ଟ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ଚିକିତ୍ସା ପ୍ରଣାଳୀ ବିରୋଧରେ ପ୍ରିଣ୍ଟ କିମ୍ବା ବୈଦ୍ୟୁତିକ ଗଣମାଧ୍ୟରେ ବୟାନ ନଦେବାକୁ କୋର୍ଟ କହିଛନ୍ତି।
ସୂଚନାଥାଉକି, ୨୦୨୩ ନଭେମ୍ବରରେ ପତଞ୍ଜଳି ଆୟୁର୍ବେଦ ବିଜ୍ଞାପନ ତଥା ଏହାର ମାଲିକ ବାବା ରାମଦେବଙ୍କ ବିବୃତ୍ତିକୁ ବିରୋଧ କରି ଭାରତୀୟ ମେଡିକାଲ ଆସୋସିଏସନ୍ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ବେଞ୍ଚ ପତଞ୍ଜଳିକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଏଲୋପାଥି ବିରୋଧରେ ବିଜ୍ଞାପନ ପ୍ରକାଶ କରିଥିବା ନେଇ ତାଙ୍କୁ ଉତ୍ସନା କରିଥିଲେ। ଭବିଷ୍ୟତରେ ଏଭଳି ବୟାନ ଓ ବିଜ୍ଞାପନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ସତ୍ତ୍ୱେ ମଧ୍ୟ ପତଞ୍ଜଳି ବିଜ୍ଞାପନ ପ୍ରକାଶିତ କରିଥିଲା।