Odisha Link
Bridging the Missing Links in Odisha

ବିବାହ ବେଦୀରେ ହାଇଡ୍ରାମା; ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

ଓଏଲ୍‌ ବ୍ୟୁରୋ: ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବାହାମଣ୍ଡପ। ଠିକ୍‌ ହାତଗଣ୍ଠି ପଡ଼ିବା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କାରଣ ବାହା ବେଦୀରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ହାତଗଣ୍ଠି ପଡ଼ୁଥିବା ସମୟରେ ବରକୁ ଉଠାଇନେଲା ପୁଲିସ। ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭବନେଶ୍ୱର କମିଶନ୍‌ରେଟ୍‌ ପୁଲିସ ବରକୁ ଉଠାଇନେଲା।

ଆଜି ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ବାହାଘର ହେଉଥିଲା। ଭୋଜି ଭାତର ଆୟୋଜନ କରାଯାଇଥିଲା। ବନ୍ଧୁ ବାନ୍ଧବ ଆସିଥିଲେ। ଢୋଲ ଓ ମହୁରୀ ବାଜୁଥିଲା। ବେଦୀରେ ବର ବେଶରେ ବସିଥିଲେ ଜିତେନ୍ଦ୍ର। ଠିକ୍‌ ସେହି ସମୟରେ ବେଦୀରେ ପହଁଞ୍ଚିଥିଲେ ରମା। ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ବାହା ମଣ୍ଡପରେ ପହଞ୍ଚିଲା। ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା। ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ। ପରିବାର ପକ୍ଷରୁ କୁହାଯାଇଛି, ଜିତେନ୍ଦ୍ର ସେହି ମହିଳାଙ୍କୁ ବିବାହ କରିନାହାନ୍ତି।

ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ଜିତେନ୍ଦ୍ର କୋଲକାତା ଯାଇଥିଲେ। ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ୍ଦ୍ର। ସେ ନିଜକୁ ଅନାଥ ବୋଲି ପରିଚୟ ଦେଇଥିଲେ। ବାପା, ମାଆ ଓ ପରିବାରରେ କେହି ନାହାନ୍ତି ବୋଲି କହିଥିଲେ ବୋଲି ରମା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଉଭୟ କୋର୍ଟ ବିବାହ କରିଥିଲେ।

ଏହାପରେ ୨୦୧୯ ମସିହାରେ ରମା ଜାଣିବାକୁ ପାଇଥିଲେ ଜିତେନ୍ଦ୍ରଙ୍କ ବିଷୟରେ କିଛି ଅଜଣା କଥା। ତାଙ୍କ ପୂରା ପରିଚୟ ଜାଣିବା ପରେ ପଚାରି ଥିଲେ। ହେଲେ ଜିତେନ୍ଦ୍ର ସବୁକିଛି ରୋକ୍‌ଠୋକ ମନା କରିବା ରମା ଅଭିଯୋଗ କରିଛନ୍ତି। ତା’ପରେ କାହାକୁ କିଛି ନକରି ଭୁବନେଶ୍ୱର ପଳାଇ ଆସିଥିଲେ ଜିତେନ୍ଦ୍ର। ଫୋନ୍‌ ମଧ୍ୟ ଉଠାଉ ନଥିଲେ। ସ୍ୱାମୀଙ୍କୁ ନପାଇ ରମା କୋଲକାତାରେ ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ଏବେ ଥାନାରୁ ଯାଇ କୋର୍ଟରେ ପହଞ୍ଚିଛି। ହେଲେ ଜିତେନ୍ଦ୍ର ଧରାଛୁଆଁ ଦେଉ ନଥିଲେ।

Leave A Reply

Your email address will not be published.