ମତଦାନ ସମୟରେ ଓଡ଼ିଶାରେ ହୋଇନି ମାଓ ହିଂସା: ନିର୍ବାଚନ ଆୟୋଗ

ଓଏଲ୍ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ଭୋଟ ଦେଇସାରିଛନ୍ତି ଜନତା। ଆଉ କିଏ କେତେ ସିଟ୍ ପାଇବ ସେନେଇ ଦାବି କରିସାରିଲେଣି ନେତା। ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି ହେବ। ଏହା ପୂର୍ବରୁ ଆଜି ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିର୍ବାଚନୀ ସମ୍ପର୍କିତ ସୂଚନା ଦେଇ ନିର୍ବାଚନ କମିଶନ କହିଛନ୍ତି, G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ଅଧିକ ଭୋଟର୍। ୬୪ କୋଟିରୁ ଅଧିକ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ରହିଥିବାବେଳେ ୩୧୨ ମିଲିୟନ୍ ମହିଳା ଭୋଟରଙ୍କୁ ନେଇ ବିଶ୍ୱ ରେକର୍ଡ ହୋଇଛି।
ସେହିଭଳି ଚଳିତ ନିର୍ବାଚନରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ଭୋଟ ଗ୍ରହଣ ହୋଇଛି। ଲୋକସଭା ନିର୍ବାଚନ ୨୦୧୯ରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା। ୨୦୨୪ରେ ମାତ୍ର ୩୯ଟି ବୁଥ୍ରେ ସାନି ମତଦାନ ହୋଇଛି। ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍ରେ ସାନି ମତଦାନ। ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍ରେ ହୋଇଛି। ୨୭ ରାଜ୍ୟର କୌଣସି ବି ବୁଥ୍ରେ ହୋଇନି ପୁନଃ ମତଦାନ। ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶାରେ ମାଓ ହିଂସା ହୋଇନଥିବା ନିର୍ବାଚନୀ ସମ୍ପର୍କିତ ସୂଚନା ଦେଇ ନିର୍ବାଚନ କମିଶନ କହିଛନ୍ତି।