ଆଜିଠୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜୁନ୍ ୨୫ରେ ଆସିବ ମେଧା ତାଲିକା

ଓଏଲ୍ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ(+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ। ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। https://samsodisha.gov.in/ ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍ଲାଇନ୍ରେ ସଂଶୋଧନ କରିପାରିବେ।
ଜୁନ୍ ୨୫ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ଦେୟ ପୈଠ କରିପାରିବେ। ୨୫ରୁ ୨୮ ମଧ୍ୟରେ ମନୋନୀତ ଶିକ୍ଷାନୁଷ୍ଠାନ ବ୍ୟତୀତ ଉପରସ୍ଥ ପରବର୍ତ୍ତୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ କିମ୍ବା ମନୋନୀତ ଶିକ୍ଷାନୁଷ୍ଠାନରେ ଆସନ ପକ୍କା କରିବାକୁ ଆବେଦନ କରିପାରିବ। ୨୬ ରୁ ୨୯ ମଧ୍ୟରେ ନାମଲେଖା ସହ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ଦାଖଲ ହେବ।
ଜୁଲାଇ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୬ରୁ୯ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୧୫ରୁ ୧୮ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ଡିଗ୍ରୀ ନାମଲେଖା ପ୍ରକ୍ରିୟାରେ ସ୍ନାତକ ଆବେଦନ ସମୟରେ ସାମ୍ସ ଜରିଆରେ ଛାତ୍ରଛାତ୍ରୀ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ମଧ୍ୟ ଆବେଦନ କରିବେ।