ଏଣିକି ଗୋଟିଏ କାର୍ଡରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସେବା, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା

ଓଏଲ୍ ବ୍ୟୁରୋ: ଏଣିକି ଗୋଟିଏ କାର୍ଡରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସେବା। କାରଣ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ମାସ ୧୦ ତାରିଖ ପରେ ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଜାରି ରହିବ। ସେପ୍ଟେମ୍ବର ୧୦ ତାରିଖରେ ବଜେଟ୍ ଆପ୍ରୋପ୍ରିଏସନ୍ ବିଲ୍ ପାରିତ ହେବ। ତା’ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ହିତାଧିକାରୀମାନେ ଯେଉଁ ଯେଉଁ ସୁବିଧା ପାଉଥିଲେ, ନୂଆ ସ୍ୱାସ୍ଥ୍ୟ କାର୍ଡରେ ମଧ୍ୟ ସେମାନେ ସେହି ସୁବିଧା ସହିତ ଅତିରିକ୍ତ ସୁବିଧା ପାଇବେ। ଅନ୍ୟପଟେ ସାରା ଭାରତ ବର୍ଷରେ ଏହି କାର୍ଡ ବ୍ୟବହାର ଉପଯୋଗୀ ହେବ। ମୋଟ ୨୭ ହଜାରରୁ ଅଧିକ ହସ୍ପିଟାଲରେ ଲୋକମାନେ ରୋଗୀ ସେବାର ସୁବିଧା ପାଇବେ। ରାଜ୍ୟରେ ୯୬ଲକ୍ଷ ପରିବାର ଏବେ ବିଏସ୍କେୱାଇ ଅଧୀନରେ ସ୍ବାସ୍ଥ୍ୟ ବୀମା ସେବା ପାଉଛନ୍ତି। ଏହି ଯୋଜନାରେ କ୍ୟାସଲେସ୍ ସୁବିଧା ଦିଆଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପବନ୍ଧୁ ଜନ ଆାରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ନେଇ ସୂଚନା ଦେଇଥିଲେ।
ସେ କହିଛନ୍ତି ଯେ, ବଜେଟରେ ଏଥିସହ ସ୍ୱାସ୍ଥ୍ୟ ବିଭାଗକୁ ୨୧ ହଜାର କୋଟି ଦିଆଯାଇଛି। ଗତବର୍ଷ ତୁଳନାରେ ଏହା ଅଧିକ। ତେବେ ଏଥର ଆମର ସବୁଠୁ ବଡ ଫୋକସ୍ ପଏଣ୍ଟ ଥିଲା ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରିବା। ଓଡିଶାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାଁରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏଥିସହ ଗତ ସରକାରରେ ରୋଗୀମାନେ ଯେଉଁ ସୁବିଧା ପାଉଥିଲେ, ସେମାନଙ୍କୁ ସେହି ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସେପଟେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପାଖାପାଖି ୩ ହଜାର କୋଟି ଟଙ୍କା ବ୍ୟୟବରାଦ ହେଇଛି। ଏହାସହ ଆୟୁଷ୍ମାନ ଯୋଜନା ଲାଗୁ ହେବା ଦ୍ୱାରା ରାଜ୍ୟ ଲାଭବାନ ହେବ। ଗତ ସରକାର ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ୬୦ ପ୍ରତିଶତ ଅର୍ଥ ଗ୍ରହଣ ନକରିବା ଦ୍ୱାରା ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରୁନଥିଲେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।