ଖୁବଶୀଘ୍ର ବିକଶିତ ଦେଶରେ ପରିଣତ ହେବ ଭାରତ: ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଲାଲକିଲ୍ଲାରେ ଲଗାତାର ୧୧ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଗଠନର କଥା କହିବା ସହିତ ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ।
ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ବିକଶିତ ଭାରତ କେବଳ ଏକ ଭାଷଣର ଶବ୍ଦ ନୁହେଁ। ସରକାର ଏନେଇ କଠୋର ପରିଶ୍ରମ କରୁଛନ୍ତି। ବିକଶିତ ଭାରତ ଗଠନ ପାଇଁ ଦେଶର କୋଟି କୋଟି ନାଗରିକଙ୍କର ମତ ନିଆଯାଉଛି। ଆଉ ଦେଶବାସୀମାନେ ମଧ୍ୟ ନିଜ ନିଜର ମତ ରଖିଛନ୍ତି। ଯହା ଦେଖି ମତେ ବହୁତ ଖୁସି ଲାଗୁଛି ବୋଲି ମୋଦି କହିଛନ୍ତି।
୨୦୪୭ ସୁଦ୍ଧା ବିକଶିତ ଦେଶରେ ପରିଗଣିତ ହେବ ଭାରତ। ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି। ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶ ପାଇଁ ଏହା ସ୍ବର୍ଣ୍ଣିମ କାଳଖଣ୍ଡ। ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଶୀଘ୍ର ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ରହିଛି। ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି, ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଶୀଘ୍ର ତଦନ୍ତ ଏବଂ ଦଣ୍ଡର ଆବଶ୍ୟକତା ରହିଛି।
ବର୍ତ୍ତମାନ ସମୟ ଆସିଛି ଦେଶ, ସମାଜ ଏବଂ ରାଜ୍ୟ ସରକାରଙ୍କୁ ଏହାକୁ ଗୁରୁତର ସହ ନେବାକୁ ପଡିବ, ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ତ୍ୱରିତ ତଦନ୍ତ, ଏପରି ଆସୁରିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ହେବା ଉଚିତ୍- ସମାଜରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଦେଖା ଦେଇଥିବା ଅସନ୍ତୋଷ ମଧ୍ୟରେ ଏପରି ଟିପ୍ପଣୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।