ଜିଲ୍ଲା ବୁଲିବେ ସମସ୍ତ ସଚିବ, ସରକାରୀ ଯୋଜନାର କରିବେ ତଦାରଖ

ଓଏଲ୍ ବ୍ୟୁରୋ: ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭାଗୀୟ ସଚିବମାନଙ୍କୁ ସର୍ବନିମ୍ନ ୨ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ସଚିବମାନେ ଜିଲ୍ଲାଗସ୍ତରେ ଯାଇ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟାନ୍ବୟନର ତଦାରଖ କରିବେ। ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍ରେ ୨ ଦିନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରଖିବା ପାଇଁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦେଇଛନ୍ତି ନିର୍ଦ୍ଦେଶ। ସଚିବମାନେ ଜିଲ୍ଲାଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବେ।
ସାଧାରଣ ଲୋକଙ୍କୁ ଯେପରି ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳିବ ତାହା ସୁନିଶ୍ଚିତ କରିବେ। ସମସ୍ତ ବିଭାଗକୁ ସେମାନଙ୍କ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ଅନୁଧ୍ୟାନ ଓ ରିପୋର୍ଟ ଆଦି ପ୍ରସ୍ତୁତ କରି ସେସବୁକୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।