ଦୂଷିତ ପାନୀୟକୁ ନେଇ ଗୃହରେ ଉଦବେଗ, ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଓଏଲ୍ ବ୍ୟୁରୋ: ପ୍ରଦୂଷିତ ପାନୀୟ ଜଳକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇବା ପରେ ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପ୍ରଦୂଷିତ ଜଳ ଉପରେ ସରକାର ବିଶେଷ ଧ୍ୟାନ ଦିଅନ୍ତୁ। ଯେପରି ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣ ହେବ, ଏବଂ ତାହା ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ସରକାର ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଆଜି ପ୍ରଶ୍ନକାଳରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ନାୟକ ଉଦବେଗ ପ୍ରକାଶ କରିଥିଲେ।
ପ୍ରଦୂଷିତ ଜଳ ବ୍ୟବହାର କାରଣରୁ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ଚର୍ମ ରୋଗ ସହ କ୍ୟାନ୍ସର ଭଳି ରୋଗର ଲୋକେ ଶିକାର ହୋଇଛନ୍ତି। ଦୟା ନଦୀରେ ଭୁବନେଶ୍ଵର ମହାନଗର ନିଗମର ଦୂଷିତ ଜଳ ମିଶୁଥିବାରୁ ଏପରି ସ୍ଥିତି ଉତ୍ପନ୍ନ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଅପରପକ୍ଷେ ଗୃହକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ଗୋଟେ କମ୍ପାନୀ ଖୁବଶୀଘ୍ର ଓଡିଶାକୁ ଆସୁଛି। ଲୁଣି ପାଣିକୁ ବିଶୋଧନ କରି ପାନୀୟ ଉପଯୋଗୀ କରିବା ପାଇଁ ଉକ୍ତ କମ୍ପାନୀ କାର୍ଯ୍ୟ କରିବ।