Odisha Link
Bridging the Missing Links in Odisha

ଭଦ୍ରକ: କୋହଳ ହେଲା କଡ଼ା କଟକଣା, ହେଲେ ମିଳିବନି ଇଣ୍ଟରନେଟ୍ ସେବା

ଓଏଲ୍‌ ବ୍ୟୁରୋ: ଧାମନଗର ଓ ଦୋବଲରେ ୩ ଦିନ ପରେ କଟକଣା କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲିବ ଦୋକାନ। ହେଲେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେନି। ତେବେ ସୋସିଆଲ ମିଡିଆ ପୋଷ୍ଟରୁ ତୁମୁଳକାଣ୍ଡ ହୋଇଥିଲା। ଭଦ୍ରକ ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିବାବେଳେ ଏବେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଭଦ୍ରକ ଗଣ୍ଡଗୋଳ ଘଟଣାରେ ୪୦୦ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି। ତେବେ ଲିଜ୍ ଲାଇନ ସେବା ଚାଲୁ ରହିବ। ପୂର୍ବାଂଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି, ସହରରେ ସ୍ୱାଭାବିକ ସ୍ଥିତି ଫେରୁଛି। ତେବେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ।

Leave A Reply

Your email address will not be published.