Odisha Link
Bridging the Missing Links in Odisha

ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ବିଶ୍ବ ରେକର୍ଡ

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ଗୋଟିଏ ବି ବଲ୍‌ ପଡ଼ି ନଥିବା କାନପୁର ଟେଷ୍ଟରେ ନୂଆ ଟ୍ବିଷ୍ଟ। ଭାରତ-ବାଂଲାଦେଶ କାନପୁର ଟେଷ୍ଟର ୪ର୍ଥ ଦିନ ରୋମଞ୍ଚଭରା ରହିଛି। ବର୍ଷା ଯୋଗୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ଯିବାରୁ ରୋହିତ ସେନା ପୂରା ଆଟାକିଂ ମୁଡ୍‌କୁ ଚାଲି ଆସିଛି। ୪ର୍ଥ ଦିନର ଟି’ ପୂର୍ବରୁ ଭାରତୀୟ ଟିମ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ କରିବା ପରେ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛି। ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରି ଟେଷ୍ଟ କ୍ରିକେଟରେ ବିଶ୍ୱ ରେକର୍ଡ କରିଛି।

କାନପୁର ଟେଷ୍ଟର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଶ୍ବ ରେକର୍ଡ କରିଛି। ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ଦ୍ରୁତ ୫୦ ଓ ସବୁଠୁ ଦ୍ରୁତ ୧୦୦ ରନ୍‌ର ରେକର୍ଡ ଭାରତୀୟ ଦଳ ଭାଙ୍ଗିଛି। ଭାରତ ବାଂଲାଦେଶ ବିପକ୍ଷ କାନୁପର ଟେଷ୍ଟରେ ମାତ୍ର ୩ ଓଭରରେ କୌଣସି ଓ୍ବିକେଟ ନ ହରାଇ ଭାରତୀୟ ଦଳ ୫୧ ରନ୍‌ ସ୍କୋର କରିଥିଲା। ଯାହା ଟେଷ୍ଟ କ୍ରିକେଟରେ କୌଣସି ଟିମ୍‌ ଦ୍ବାରା ଦ୍ରୁତ ୫୦ ରନ୍‌ ସ୍କୋର କରାଯାଇଛି। ସେହିପରି ୧୦ ଓଭର ୧ ବଲରେ ଭାରତ ୧୦୦ ରନ୍‌ ସ୍କୋର କରିଛି। ଏହାପୂର୍ବରୁ କୌଣସ ଦଳ ୧୦ ଓଭରରେ ୧୦୦ ରନ୍‌ ସ୍କୋର ପାର କରି ନଥିଲେ। ଏଥିସହିତ ଭାରତ ବିଶ୍ବ ରେକର୍ଡ ନିଜ ନାମରେ କରିଛି।

ଭାରତ ୨୦୨୩ ମସିହାରେ ପୋର୍ଟ ଅଫ ସ୍ପେନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ମାତ୍ର ୧୨ ଓଭର ୨ ଟି ବଲରେ ୧୦୦ ରନ୍‌ ସ୍କୋର କରଥିଲା। ଯାହା ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ଦ୍ରୁତ ୧୦୦ ରନ୍‌ ସ୍କୋର ହୋଇଥିଲା। ଏବେ ଭାରତ ନିଜ ରେକର୍ଡ ନିଜେ ଭଙ୍ଗ କରିଛି।

ପୂର୍ବରୁ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ ହାସଲ କରିବାର ରେକର୍ଡ ଇଂଲଣ୍ଡ ନାଁରେ ଥିଲା। ଇଂଲଣ୍ଡ ୪.୨ ଓଭରରେ ଦଳୀୟ ସ୍କୋରକୁ ୱେଇଣ୍ଡିଜ ବିପକ୍ଷରେ ୫୦ ରନରେ ପହଞ୍ଚାଇଥିଲା। ଜୁଲାଇ ମାସରେ ଇଂଲଣ୍ଡ ୩୦ ବର୍ଷ ଧରି ନିଜ ନାଁରେ ଥିବା ରେକର୍ଡକୁ ଅତିକ୍ରମ କରିଥିଲା। ଏବେ ଭାରତ ଦ୍ରୁତତମ ୫୦ ରନ ଓ ୧୦୦ ରନ୍ ହାସଲ କରିବା ତାଲିକାର ୧ନଂ ସ୍ଥାନରେ ରହିଛି।