Odisha Link
Bridging the Missing Links in Odisha

ଚେନାବ ବ୍ରିଜ ଉପରେ ଚୀନର ନଜର, ଡ୍ରାଗନ୍‌ ପାଇଁ ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ଓ ଚୀନ ସମ୍ପର୍କର ଯୁଗଳବନ୍ଦୀ କାହାକୁ ବି ଅଛପା ନାହିଁ। ଏହି ଦୁଇ ଦେଶ ସବୁବେଳେ ଭାରତ ବିପକ୍ଷରେ ଷଡ଼ଯନ୍ତ୍ର ରଚିବାରେ ବ୍ୟସ୍ତ ରୁହନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଚୀନ ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି।

ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ ନିର୍ମାଣ କରୁଛନ୍ତି। ଏହା ରୈସି ଓ ରାମବନ ଜିଲ୍ଲା ସହ ଲିଙ୍କ ହୋଇଛି। ଚୀନ ଏହି ବ୍ରିଜ ସମ୍ପର୍କରେ ସବିଶେଷ ତଥ୍ୟ ଚାହୁଁଥିବାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଏହାର ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଚେନାବ ବ୍ରିଜ ହେଉଛି ବିଶ୍ୱର ସୁଉଚ୍ଚ ରେଳ ବ୍ରିଜ। ନିକଟରେ ଏହି ଲାଇନରେ ଟ୍ରାଏଲ ରନ ହୋଇଛି। ଜମ୍ମୁ କଶ୍ମୀର ସହ ପୂରା ଭାରତକୁ ଯୋଡ଼ିବା ପାଇଁ ଏପରି ବ୍ରିଜ୍‌କୁ ତିଆରି କରାଯାଉଛି।

ଚେନାବ ବ୍ରିଜ ଚେନାବ ନଦୀ ଉପରେ ନିର୍ମାଣ ହୋଇଛି। ଯାହାର ଉଚ୍ଚତା ପ୍ରାୟ ୩୫୯ ମିଟର ବା ୧୧୭୮ ଫୁଟ୍‌ । ଏହା ପ୍ୟାରିସ୍‌ର ପ୍ରସିଦ୍ଧ ଏଫିଲ ଟ୍ବାଓ୍ବାରଠୁ ବି ଉଚ୍ଚା। ଜମ୍ମୁର ରୈସି ଜିଲ୍ଲାରେ ଏହି ବ୍ରିଜ୍‌କୁ ଶେଷ କରିବା ପାଇଁ ସରକାରଙ୍କୁ ୨୦ ବର୍ଷ ଲାଗିଥିଲା। ସବୁ ପାଣିପାଗ ସହ ଖାପ ଖୁଆଇ ପାରୁଥିବା ୨୭୨ କିମି ରେଳ ସେକସନର ଏହା ଅଂଶବିଶେଷ।