ଚାମ୍ପିଅନ୍ସ ଟ୍ରଫି: ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବୋଲିଂ କରିବ ଭାରତ

ଓଏଲ୍ ବ୍ୟୁରୋ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେଉଛନ୍ତି। ଦୁବାଇ କ୍ରିକେଟ ପଡ଼ିଆରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।
୩୭ ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇତିହାସ ସତ୍ତ୍ବେ ଉଭୟ ଏସୀୟ ପଡ଼ୋଶୀ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ଦ୍ବିତୀୟ ଥର ପାଇଁ ପରସ୍ପରର ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା। ସେହି ମ୍ୟାଚ୍କୁ ସହଜରେ ଜିତି ବି ଯାଇଥିଲା। ଏଣୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ବାଂଲାଦେଶ ନିଜ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇବାର ବିରଳ ସଫଳତା ଲାଭ କରିବା ଆଶାରେ ଅଛି।
ବିଶ୍ବକପ୍ ପରେ ଭାରତ ମାତ୍ର ଦୁଇଟି ଦିନିକିଆ ଶୃଙ୍ଖଳା ଖେଳି ଚାମ୍ପିଅନ୍ସ ଟ୍ରଫିକୁ ଯାଇଛି। ଗତବର୍ଷ ଜୁଲାଇରେ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଖେଳିଥିବା ପ୍ରଥମ ଶୃଙ୍ଖଳାରେ ଶ୍ରୀଲଙ୍କାଠାରୁ ୦-୨ରେ ହାରିଥିଲା ଭାରତ। ଚଳିତବର୍ଷ ପ୍ରାରମ୍ଭରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲା। ଅନ୍ୟପକ୍ଷରେ ୨୦୨୪ ଆରମ୍ଭ ହେବା ପରଠାରୁ ବାଂଲାଦେଶ ୯ଟି ଦିନିକିଆ ଖେଳିଛି।ଉଭୟ ଦଳ ୪୨ ଅନ୍ତର୍ଜାତୀୟ ଦିନିକିଆରେ ଲଢ଼ିଛନ୍ତି। ସେଥିରୁ ଭାରତ ୩୩ ଏବଂ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଥରେ ଭେଟି ପରାଜିତ ହୋଇଛି।
ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ୟାଦବ, ମହମ୍ମଦ ସାମି, ହର୍ଷିତ ରାଣା।
ବାଂଲାଦେଶ ଏକାଦଶ: ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତଂଜିଦ ହାସନ, ମୁସ୍ଫିକର ରହିମ, ମହମଦୁଲ୍ଲା, ଜାକିର ଅଲୀ, ମେହିଦି ହାସନ ମିରାଜ, ରିସଦ ହୁସେନ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ତୋହିଡ ହ୍ରିଡୋ।