Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍: ଆଇନ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ନେଇ ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ହେଲେ ଆଗାମୀ ଦିନରେ ଆମେ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରିବାର ସମ୍ଭାବନା ରହିଛି। ଏନେଇ ଆମେ ପୋଲିସ ବିଭାଗ ସହ ଆଲୋଚନା କରିବୁ।

ଦରକାର ପଡ଼ିଲେ ଏଥିପାଇଁ ଆବଶ୍ୟକ ହେବାକୁ ଥିବା ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ରହିଛି। ମାତ୍ର ଅନେକ ସମୟରେ ସୁରକ୍ଷା ବଳୟ ଭେଦ କରି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ନେଇ ବିଚାର କରୁଛନ୍ତି।

ଡ୍ରୋନ୍ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ। ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ। ଏହା ସହ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ସହାୟତା ମିଳିବ। ଅନେକ ଆବେଦନ ଆସିଛି, ଯେଉଁମାନେ କରିନାହାନ୍ତି ବିଚାର ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।