କୋଭିଡ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଓଏଲ୍ ବ୍ୟୁରୋ: ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ। ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ଭାରତରେ ୨୫୭ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହେବା ପରେ ସତର୍କରେ ସରକାର। ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି। ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ରାଜ୍ୟରେ କୋଭିଡ୍ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ଦେଖାଯାଉଥିବା କୋଭିଡ୍ କେସକୁ ଲହର କୁହାଯାଇପାରିବ ନାହିଁ। ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି। ମଝିରେ ମଝିରେ କୋଭିଡ୍ ହେଉଛି, କେହି ଗୁରୁତର ହେଉନାହାନ୍ତି। ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ ହୋଇଛି। ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍ ନୁହେଁ। ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।କୋଭିଡ୍ ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।