UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଜୁଲାଇ ୩୧ରୁ ନୂଆ ନିୟମ..

ଓଏଲ୍ ବ୍ୟୁରୋ: ୟୁପିଆଇ ସେବାରେ ନିୟମିତ ବ୍ୟବଧାନରେ ହେଉଥିବା ବିଭ୍ରାଟ ରୋକିବା ଲାଗି କେତେକ ସେବା ଉପରେ କଟକଣା ଲଗାଇବା ବିଷୟରେ ବିଚାର କରାଯାଉଛି। ବାଲାନ୍ସ ଅନୁସନ୍ଧାନ, ସ୍ବୟଂକ୍ରିୟ ପେମେଣ୍ଟ, କାରବାର ସ୍ଥିତି ଯାଞ୍ଚ କରିବା ଭଳି କେତେକ ସେବାର ସୀମା ନିର୍ଧାରଣ କରାଯିବ। ଅର୍ଥାତ ଗ୍ରାହକମାନେ ଦିନକୁ ନିର୍ଦ୍ଦିଷ୍ଟ କିଛି ଥର ଏହି ସେବା ବ୍ୟବହାର କରିପାରିବେ। ଫଳରେ ୟୁପିଆଇ କାରବାର ଉପରେ ସୃଷ୍ଟି ହେଉଥିବା ଚାପ କମ୍ ହେବ। ଅଗଷ୍ଟରୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରାଯିବ।
ୟୁପିଆଇକୁ ପଠାଯାଉଥିବା ସମସ୍ତ ଅନୁରୋଧର ନିରୀକ୍ଷଣ କରିବାକୁ ବ୍ୟାଙ୍କ ଓ ୟୁପିଆଇ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ କୁହାଯାଇଛି। ଯଦି କୌଣସି ସଂସ୍ଥା ନିୟମ ପାଳନ କରିବାରେ ବିଫଳ ହେବ, ତେବେ ତାହା ଉପରେ ଜରିମାନା,ଏପିଆଇ କଟକଣା ଏବଂ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମକୁ ଠିକ୍ ଭାବେ ପାଳନ କରାଯାଉଛି ବୋଲି ଦର୍ଶାଇ ସମସ୍ତ ବ୍ୟାଙ୍କ ଓ ୟୁପିଆଇ ସେବା ପ୍ରଦାନକାରୀ ସଂସ୍ଥା ଅଗଷ୍ଟ ୩୧ ସୁଦ୍ଧା ଲିଖିତ ପ୍ରତିଶ୍ରୁତି ଦେବେ। ତେବେ ୟୁପିଆଇ ସେବାରେ ଲାଗିବାକୁ ଥିବା ଏହି କଟକଣା ବ୍ୟବସାୟୀ ଓ ନିୟମିତ ବ୍ୟବଧାନରେ ବାଲାନ୍ସ ଯାଞ୍ଚ କରୁଥିବା ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ଆଶଙ୍କା ରହିଛି।।
ଅନ୍ୟପଟେ, ପ୍ରତିଦିନ ୟୁପିଆଇ ଆପରେ ବାଲାନ୍ସ ଚେକ୍ କରନ୍ତି, ଅଟୋପେ ଲଗାନ୍ତି କିମ୍ୱା ଟ୍ରାଞ୍ଜେକ୍ସନର ଷ୍ଟାଟସ୍ ଚେକ୍ କରନ୍ତି, ତେବେ ସାବଧାନ ହୋଇଯାଅନ୍ତୁ। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ନୂଆ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁସାରେ ୨୦୨୫ ଜୁଲାଇ ୩୧ରୁ ୟୁପିଆଇରେ ଅଧିକ ବ୍ୟବହାର ହେଉଥିବା କିଛି ଫିଚର୍ସ ଉପରେ ସୀମା ଧାର୍ଯ୍ୟ କରାଯିବ।
ନୂଆ ନିର୍ଦ୍ଦେଶରେ ୟୁଜର୍ସଙ୍କ ଦ୍ୱାରା ଅଧିକ ବ୍ୟବହାର ବାଲାନ୍ସ ଯାଞ୍ଚ କରିବା, ଅଟୋପେମେଣ୍ଟକୁ ଅନୁମତି ଦେବା, ଟ୍ରାଞ୍ଜାକ୍ସନ ଷ୍ଟାଟସ୍ ଦେଖିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସାମିଲ କରାଯାଇଛି। ଏବେ ଏହି ଫିଚର୍ସଗୁଡ଼ିକୁ ପୂରା ଦିନରେ କେବଳ ନିର୍ଦ୍ଦିଷ୍ଟ ସଂଖ୍ୟାର ବ୍ୟବହାର କରାଯାଇପାରିବ। ଅର୍ଥାତ୍ ଯଦି ଆପଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ବାଲାନ୍ସ ଚେକ୍ କରନ୍ତି, ତେବେ ଆପ୍ ଆପଣଙ୍କୁ ଅନୁମତି ଦେବ ନାହିଁ। UPI ନେଟୱାର୍କରେ ଯେପରି ଅନାବଶ୍ୟକ ଲୋଡ୍ ନହୁଏ, ସେଥିପାଇଁ NPCI ଏହି ପଦକ୍ଷେପ ନେଇଛି। ଯଦି ବ୍ୟାଙ୍କ କିମ୍ବା ଆପ୍ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ NPCI ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
NPCI UPI ପାଇଁ ‘ପିକ୍ ଆୱାର’ ଭାବରେ କିଛି ସମୟକୁ ନିର୍ଦ୍ଦିଷ୍ଟ କରିଛି। ଯେପରିକି ସକାଳ ୧୦ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ରୁ ରାତି ୯.୩୦ଟା। ଏହି ସମୟରେ ସିଷ୍ଟମ ଉପରେ ଅତ୍ୟଧିକ ଚାପ ଏଡାଇବା ପାଇଁ ଏହାସବୁ ସୀମିତ ରହିବ। NPCI ନିର୍ଦ୍ଦେଶ ଅନୁସାରେ ୨୦୨୫ ଜୁଲାଇ ୩୧ରୁ ଗ୍ରାହକମାନେ ଗୋଟିଏ ଆପ୍ରେ ଦିନକୁ ସର୍ବାଧିକ ୫୦ଥର ବାଲାନ୍ସ ଚେକ୍ କରିପାରିବେ। ବିଶେଷଜ୍ଞଙ୍କ ମତରେ ଏହି ନିୟମ ବ୍ୟବସାୟୀ ଏବଂ ଅଧିକ କାରବାର କରୁଥିବା ୟୁଜର୍ସଙ୍କ ସାମାନ୍ୟ ଅସୁବିଧା କରିପାରେ। NPCI ଏହା ମଧ୍ୟ କହିଛି ଯେ ପିକ୍ ଆୱାରରେ (ସକାଳ ୧୦ରୁ ଅପରାହ୍ନ ୧ ଏବଂ ସନ୍ଧ୍ୟା ୫ରୁ ରାତି ୯:୩୦) ବାଲାନ୍ସ ଯାଞ୍ଚ ଭଳି ଅନୁରୋଧଗୁଡ଼ିକୁ ସୀମିତ କରାଯିବ। ଏହା ବ୍ୟତୀତ, ପ୍ରତ୍ୟେକ କାରବାର ପରେ ବ୍ୟାଙ୍କକୁ ଏବେ ଗ୍ରାହକଙ୍କୁ ବାଲାନ୍ସ ସୂଚନା ପଠାଇବାକୁ ପଡିବ, ଯାହା ଦ୍ଵାରା ଗ୍ରାହକମାନେ ବାରମ୍ବାର ବାଲାନ୍ସ ଚେକ୍ କରିବେ ନାହିଁ।