Odisha Link
Bridging the Missing Links in Odisha

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୁଡା ବେଶରେ ମହାପ୍ରଭୁ

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଗତକାଲି ଠାରୁ ପଞ୍ଚକବ୍ରତ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ଵିତୀୟ ଦିବସରେ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହୋଇଅଛି। ଆଜି କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଅବକାଶ ନୀତି ପରେ ଅନୁଷ୍ଠିତ ହୋଇଥିବା ବେଳେ ଅଗଣିତ ଭକ୍ତ ଏହି ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ବେଶରେ ସୁନା କିରୀଟ ସହ କାନ ଓ କୁଣ୍ଡଳ ଶୋଭା ପାଇଥାଏ।

ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ର ହଳ ମୁଷଳ ଧାରଣ କରିଥାନ୍ତି। ସେହିପରି ମା’ ସୁଭଦ୍ରାଙ୍କ ମସ୍ତକରେ ସୁବର୍ଣ୍ଣ କିଆ ଶୋଭା ପାଇଥାଏ। ଏଥିସହ ଆଜି ମଧ୍ୟ ଗରୁଡ଼ ଉଥାପନ୍ନ ନୀତି ଶ୍ରୀମନ୍ଦିରରେ ପାଳନ କରାଯାଇଛି। ତେବେ ଚଳିତଥର ଚତୁର୍ଦଶୀ ତିଥି କ୍ଷୟ ପଡୁଥିବା ହେତୁ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ ନାହିଁ। ତେବେ ପଞ୍ଚୁକ ସମୟରେ ଭିନ୍ନ ଭିନ୍ନ ବେଶ ଦର୍ଶନ ଅଶେଷ ପୁଣ୍ୟପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ ଜମିଛି।