Odisha Link
Bridging the Missing Links in Odisha

ରାଜ୍ୟରେ ଶୀତର ପ୍ରକୋପ, ଏହି ସବୁ ଜିଲ୍ଲାରେ ଆହୁରି ଖସିବ ପାରଦ..

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଧୀରେ ଧୀରେ ବଢୁଛି ଶୀତ। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଉରକେଲାରେ ୫.୭, ଝାରସୁଗୁଡ଼ାରେ ୭.୧, କେନ୍ଦୁଝରରେ ୮.୮ ଡିଗ୍ରୀ, ମୟୂରଭଞ୍ଜରେ ୧ଡିଗ୍ରୀକୁ ଖସିଲା ତାପମାତ୍ରା। ଶୀତକାକରରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଆହୁରି ଶୀତ ବଢିବା ନେଇ ସୂଚନା ରହିଛି।

ଅନ୍ୟପଟେ, ଶୀତର ପ୍ରକୋପ ଯୋଗୁ ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରହିଛି। ଅଭୟାରଣ୍ୟର କୋର ଇଲାକାର ଥିବା ଆପାର ବାରାହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।