Odisha Link
Bridging the Missing Links in Odisha

ନୂଆବର୍ଷରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ମୁଖିଆ, ଚର୍ଚ୍ଚା ବଢ଼ାଇଲା ମୋକିମ୍‌ଙ୍କ ବୟାନ..

ଓଏଲ୍‌ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ। ନୂଆବର୍ଷରେ ଘୋଷଣା ହେବ ପିସିସି ସଭାପତିଙ୍କ ନାମ। ଏନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିବା ପରେ ଆଜି ମହମ୍ମଦ ମୋକିମ୍‌ ମଧ୍ୟ ସମର୍ଥନ କରିଛନ୍ତି। ମୋକିମ୍‌ କହିଛନ୍ତି, କୋରାପୁଟରୁ ପୁରୀ ପର୍ଯ୍ୟନ୍ତ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ସେ ପିସିସିର ମଙ୍ଗ ଧରିବେ।

ସଭାପତି ଚୟନ ନେଇ ତାରାଙ୍କ ମନ୍ତବ୍ୟକୁ କଟାକ୍ଷ କରି ମୋକିମ୍ କହିଲେ, ତାରା ବାବୁ ଜଣେ ଅଭିଜ୍ଞ ଓ ବରିଷ୍ଠ ବିଧାୟକ। ସେ ଦିଲ୍ଲୀ ଯାଆନ୍ତି, ଜାଣିଥିବେ କାହାର କାଟ୍‌ତି କାମ କରେ। ପୂର୍ବରୁ ତାରା କହିଥିଲେ କିଛି ନେତା ଦିଲ୍ଲୀରେ ଲବି କରୁଛନ୍ତି। ଯାହାକୁ ନେଇ ଆଜି ମୋକିମ୍ ଏମିତି କହିଛନ୍ତି।

ଅନ୍ୟପଟେ, ପିସିସି ଲବିରେ ମୁଁ ନାହିଁ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ମୁଁ ମୋ ତରଫରୁ ଇସ୍ତଫା ଦେଇଥିଲି। ଜଣେ ଯୁବକଙ୍କୁ ପିସିସି ସଭାପତି ଭାବେ ଦେଖିବାକୁ ଚାହୁଁଛି। ଯିଏ କଂଗ୍ରେସକୁ ଆଗକୁ ନେଇ ପାରିବ ଓ ମଜଭୁତ କରିପାରିବେ ସେ ହୁଅନ୍ତୁ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ, ପିସିସି ସଭାପତି ଦୌଡ଼ରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି। ସେହିପରି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ନିର୍ବାଚନ ସମୟରେ କଂଗ୍ରେସର ୪୦ରୁ ଅଧିକ ନେତା ଛତିଶଗଡ଼ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ମୋକିମଙ୍କ ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି।