ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ତିନି ରଥ ପାଇଁ ୩୫ ଚକ ନିର୍ମାଣ ଶେଷ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଜୁନ ୨୭ରେ ଅନୁଷ୍ଠିତ ହେବ। ଜୋରସୋରରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ। ତିନି ରଥ ପାଇଁ ଆବଶ୍ୟତ ମୋଟ ୪୨ଟି ଚକ ମଧ୍ୟରୁ ୩୫ ନିର୍ମାଣ ଶେଷ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ, ପହଣ୍ଡି ଅଘଟଣ ରୋକିବାକୁ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜୀଉଙ୍କ ପହଣ୍ଡିବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି। ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ। ଶ୍ରୀମନ୍ଦିର ପୁଲିସ ମଧ୍ୟ ସହଯୋଗ କରିବେ।
ଛତିଶା ନିଯୋଗ ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାଠାରୁ ନିଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଯାତ୍ରାବେଳେ ପହଣ୍ଡି ବିଜେ ବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଅଧିକାରୀ, ଭୋଇ,ତତ୍ତ୍ୱାବଧାରକ ଚାରମାଳ ସମୀକ୍ଷା, ନିରୀକ୍ଷଣ ଦାୟିତ୍ଵରେ ରହିବେ।
ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଇଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହେବା ସହ ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଛି। ଛତିଶାନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ମଧ୍ୟ ଆଲୋଚନା ହୋଇଛି। ରଥ ଉପକୁ କ୍ୟାମେରା ଓ ଫୋନ ବାରଣ କରାଯାଇଛି।