‘ଛପାକ୍ ପାଇଁ ସମ୍ମାନିତ ହେବେ ଦୀପିକା

ମୁମ୍ବଇ: ‘ଛପାକ୍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ ହେବେ ଦୀପିକା। ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‘ଛପାକ୍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରିବେ। ‘ଛପାକ୍’ର ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିଲା। ଏବେ ଏହି ଚଳଚ୍ଚିତ୍ର ପାଇଁ ଦୀପିକାଙ୍କୁ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶର ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା ସୂଚନା ଦେଇ କହିଛନ୍ତି ଯେ, ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଆକାଡେମୀ ପୁରସ୍କାର(ଆଇଫା ଆୱାର୍ଡ) କାର୍ଯ୍ୟକ୍ରମରେ ଦୀପିକାଙ୍କୁ ସମ୍ମାନିତ କରାଯିବ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ‘ଛପାକ୍’କୁ ଟିକସ ମୁ୍କ୍ତ କରିବା ପରେ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ତାଙ୍କୁ ବିରୋଧ କରିଥିଲେ। ଏହାର ଜବାବ ସ୍ୱରୂପ କମଳନାଥ କହିଥିଲେ, “ଚଳଚ୍ଚିତ୍ର ତଥା କଳାକାରମାନଙ୍କୁ ଦଳୀୟ ବିଚାରଧାରାରେ ବିଭାଜିତ କରିବା ଓ ରାଜନୀତି ସହ ଯୋଡ଼ିବା ଆଦୌ ଉଚିତ ନୁହେଁ। ଦେଶରେ କାହାର ଏ ଅଧିକାର ନାହିଁ ଯିଏ ଆମକୁ କହିବ ଆମେ କେଉଁ ଚଳଚ୍ଚିତ୍ର ଦେଖିବା କିମ୍ବା କେଉଁଟି ଦେଖିବା ନାହିଁ”।