କଟକରେ ଲଗାତାର ୩ଟି ହତ୍ୟା ଘଟଣା ପରେ ଛାନଭିନ୍ କରିୁଛି ପୁଲିସ୍

କଟକ: କଟକରେ ଲଗାତାର ୩ଟି ହତ୍ୟାକାଣ୍ଡ ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀର ପତ୍ତା ମିଳୁନାହିଁ।
ଗତକାଲି ରାତି ସାରା ନିଜେ ପୁଲିସ୍ କମିଶନର ଓ ଡିସିପି ପାଟ୍ରୋଲିଂ କରିଥିଲେ। ଏଥିସହ ନିରାଶ୍ରୟଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳକୁ ଅଣାଯାଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ୍ ଘଟଣାର ତଦନ୍ତ କରୁଛି। କୁହାଯାଉଛି କଟକରେ ସାଇକୋ କିଲର୍ ମାତିଛି। କାହିଁକି ନାଁ ୩ଟି ହତ୍ୟାକାଣ୍ଡ ଯେଉଁ ଶୈଳୀରେ ହୋଇଛି, ଏଥିରେ ଜଣେ ବ୍ୟକ୍ତି ହିଁ ସମ୍ପୃକ୍ତ ଥିବା ପୁଲିସ୍ ଅନୁମାନ କରୁଛି। ହତ୍ୟାକାରୀ ରାସ୍ତାକଡ଼ରେ ଶୋଉଥିବା ଗରିବ ଓ ବାସହୀନ ଲୋକମାନଙ୍କୁ ଟାର୍ଗେଟ କରୁଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ କଟକ ଓଏମପି ଓଭର ବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ସେହିପରି ମଙ୍ଗଳବାର ରାତିରେ ଏସ୍ସିବି କାର୍ଡ଼ିଓଲୋଜି ବିଭାଗ ସମ୍ମୁଖରେ ଜଣ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସେହିଦିନ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ମୃତକ ଜଣକ କଟକରେ ଦୀର୍ଘ ୨୦ ବର୍ଷ ଧରି ଦିନ ମଜୁରିଆ ଭାବରେ କାମ କରୁଥିଲେ।