ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସାଂସଦ: ମାନସ

ଭୁବନେଶ୍ବର: ବାଇ-ଲ ପ୍ରସଙ୍ଗକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ, ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସାଂସଦ। ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି। କିନ୍ତୁ ସେ ଜାଣିଛନ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ। ଏଥିସହିତ ତାଙ୍କର ବକ୍ତବ୍ୟକୁ ଯେଭଳି ଭୁଲ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।
ସେ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲେ ଯେ, କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ, ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ। ଏଥିସହିତ ସଂସ୍କୃତି ନିର୍ଦ୍ଦେଶକ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି। କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିର ପାଇଁ ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବକ୍ତବ୍ୟ ଦେଇଛନ୍ତି।
ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନାହାନ୍ତି। ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଓ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କୁ ବୁଝିବା କଷ୍ଟକର ବୋଲି ସେ କହିଛନ୍ତି।
ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଏହି ପ୍ରସଙ୍ଗକୁ ବୁଝିପାରିଛନ୍ତି। ଏଥି ସହିତ ସାଂସଦ ଅପରାଜିତା ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି। ହେଲେ ସେ ଆମସର ଆଇନକୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ ମଙ୍ଗରାଜ କହିଛନ୍ତି।
ତେଣୁ ସବୁଠାରୁ ଭଲ ହେବ ସେ ଆମସର ଆଇନକୁ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି।