ପାଡ଼ ପାଇଁ ବିଧାନସଭା ବାତିଲ

ହୋମା ବେ’: ସାମାନ୍ୟ ଏକ ପାଡ଼କୁ କେନ୍ଦ୍ର କରି ବିଧାନସଭା ବାତିଲ ହୋଇଛି, ସଭ୍ୟମାନେ ବାହାରକୁ ଚାଲିଯାଇଛନ୍ତି।
ଘଟଣା ଘଟିଛି କେନିୟାର ହୋମା ବେ’ କାଉଣ୍ଟି ବିଧାନସଭାରେ। ଗତ ସପ୍ତାହରେ ବିଧାନସଭାର ସଦସ୍ୟମାନେ ବଜାର ସ୍ଥିତିକୁ ନେଇ ଯୋରଦାର ବିତର୍କ ଚଳାଇଥିବା ସମୟରେ ହଠାତ କେହିଜଣେ ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ପାଡ଼ ଛାଡ଼ିଥିଲେ। ପାଡ଼ ଗନ୍ଧରେ ବିଧାନସଭା ପରିସର ଅସହ୍ୟ ହୋଇ ପଡ଼ିଥିବା ବେଳେ ଏ ବାବଦରେ ବାଚସ୍ପତିଙ୍କ ମତ ମଗାଯାଇଥିଲା।
ଜୁଲିଅସ୍ ଗୟା ନାମକ ଜଣେ ବିଧାୟକ ଠିଆ ହୋଇ ନିର୍ଦ୍ଦିଷ୍ଟ ଜଣେ ବିଧାୟକଙ୍କୁ ଠାରି ସେ ପାଡ଼ିଥିବା ବାଚସ୍ପତିଙ୍କ ଆଗରେ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ଜୁଲିଅସ୍ଙ୍କ ଆରୋପକୁ ଖଣ୍ଡନ କରିଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଏଡଓ୍ବିନ୍ କାକାଚ୍ କିଛି ସମୟ ପାଇଁ ଗୃହ କାର୍ଯ୍ୟ ବାତିଲ କରିଥିଲେ। ବାୟୁ ଗନ୍ଧ ସ୍ବାଭାବିକ ନ ହେବା ଯାଏଁ ବିଧାୟକମାନେ ବିଧାନସଭା ଗୃହ ବାହାରକୁ ଯାଇ କିଛି ସମୟ ଅବସର ନେବାକୁ ଅନୁରୋଧ କରିଥିଲେ। ସେହିପରି ରୁମ୍ ଫ୍ରେସନର ଆଣି ବିଧାନସଭାରେ ଉଡ଼ାଇବାକୁ ବାଚସ୍ପତି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.