ନିର୍ବାଚନ ପାଇଁ ମାଓ ଅଞ୍ଚଳରେ କଡ଼ା ସୁରକ୍ଷା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବୁଧବାର ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ପାଲଟା ଗୁଳିରେ ଜଣେ ମହିଳା କ୍ୟାଡର୍ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମହିଳା କ୍ୟାଡରଙ୍କ ପରିଚୟ ମିଳି ପାରିନାହିଁ। ଏଥିସହ ଘଟଣାସ୍ଥଳରୁ ପୁଲିସ୍ ବ୍ୟାପକ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ କରିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି, ଡିଭିଏଫ୍ ମିଳିତ କମ୍ବିଂ ଜାରି ରହିଛି ବୋଲି ପୁଲିସ୍ ମହାନିଦେ୍ର୍ଦଶକ (ଡିଜିପି) ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଡାକ୍ତର ଶର୍ମାଙ୍କ ସୂଚନା ଅନୁସାରେ, ଆଗକୁ ସାଧାରଣ ନିର୍ବାଚନ ରହିଛି। ଏହାକୁ ଦୃଷ୍ଟିରେ ରଖି ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସାଧାରଣ ଜନତା କିପରି ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ଭୋଟଦାନ କରିବେ ସେଥିପ୍ରତି ରାଜ୍ୟ ପୁଲିସ୍ ଗୁରୁତ୍ୱ ଦେଇଛି। ପ୍ରଥମ ପର୍ଯ୍ୟାୟ ଭୋଟଦାନ ଅପ୍ରେଲ୍ ୧୧ରେ ମାଓ ପ୍ରଭାବିତ ଅଞ୍ଚଳରୁ ଆରମ୍ଭ ହେଉଛି। ଏବେଠୁ ସମ୍ପୃକ୍ତ ଅଞ୍ଚଳରେ ଭିଭିଆଇପିମାନଙ୍କ ଭିଡ ଜମିବ। ଭିଭିଆଇପି ଓ ଷ୍ଟାର କ୍ୟାମ୍ପନର୍ମାନେ ପ୍ରଚାରରେ ସାମିଲ ହେବେ। ନିର୍ବାଚନ ପ୍ରଚାରରେ ସାମିଲ ହେବା ପୂର୍ବରୁ ଏସ୍ଓପି ପାଳନ କରିବାକୁ ନିଦେ୍ର୍ଦଶନାମା ଜାରି ହୋଇଛି। ଏପରିକି ଏସ୍ଓପି ମାନିବାକୁ ଭିଭିଆଇପି ଓ ଷ୍ଟାର୍ କ୍ୟାମ୍ପନ୍ରମାନଙ୍କୁ ଅନୁରୋଧ ମଧ୍ୟ କରାଯାଇଛି। ମାଓ ପ୍ରଭାବୀତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ କମ୍ପାନୀ ଯବାନ ସାମିଲ ହୋଇଛି। ଆଉ ଏକ କମ୍ପାନୀ ଯୋଗାଇଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ଶର୍ମା କହିଛନ୍ତି।
ମଙ୍ଗଳବାର ଠାରୁ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବୁଧବାର ଭୋର୍ ସମୟରେ ବାଲିଗୁଡ଼ା ଥାନା ପରମପାଙ୍ଗା ପଞ୍ଚାୟତର ସୁକୁଞ୍ଜିଆ ଛକରେ ଏକ ମାଓ ପୋଷ୍ଟର୍ ଠାବ ହୋଇଥିଲା। ତେବେ କିଛି ସମୟ ପରେ ଏନକାଉଣ୍ଟର ଖବର ମିଳିଥିଲା। ସକାଳ ପ୍ରାୟ ୭.୩୦ରୁ ୯ଟା ମଧ୍ୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଡ଼କଙ୍ଗଆ ପଞ୍ଚାୟତର ଲିଙ୍ଗେରମାହା ଗାଁ ନିକଟ ଟେକଲାମିଲା ଜଙ୍ଗଲ ତଥା ମୁଣ୍ଡିବାଲି ପାହାଡ଼ରେ ପୁଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ଏଥିରେ ଉପରୋକ୍ତ ମହିଳା ମାଓବାଦୀର ଜୀବନ ଯାଇଥିବା ବେଳେ ଅନ୍ୟ ୫/୬ ଜଣ ମାଓବାଦୀ ଆହତ ହୋଇଥିବା ପୁଲିସ୍ ସନେ୍ଦହ କରିଛି। କାରଣ ଘଟଣାସ୍ଥଳରେ ଏକାଧିକ ବ୍ୟକ୍ତିଙ୍କ ରକ୍ତଛିଟା ଦେଖିବାକୁ ମିଳିଛି।
ସେଠାରେ ଅଧିକ ସଂଖ୍ୟକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଗୁଳି ବିନିମୟ ପରେ ମାଓବାଦୀ ପଛଘୁଞ୍ଚା ଦେଇ ପଳାୟନ କରିଥିବା ବେଳେ ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧ ଥାନା ଅଧୀନ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଚାଲିଛି। ତେବେ ପୁଲିସ୍ ମୃତ ମହିଳା କ୍ୟାଡରଙ୍କ ଶବକୁ ଜବତ କରିଛି। ତାଙ୍କ ପରିଚୟ ପାଇବାକୁ ପୁଲିସ୍ ଖୋଳତାଡ ଜାରି ରଖିଛି। ଅନ୍ୟପକ୍ଷରେ ଆଉ ଜଣେ ମହିଳା କ୍ୟାଡର୍ ମାଓବାଦୀକୁ ପୁଲିସ୍ ନିଜ ହେପାଜତକୁ ନେଇଥିବା ମଧ୍ୟ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ତେବେ ପୁଲିସ୍ ଏନେଇ କିଛି ସ୍ପଷ୍ଟ କରିନାହିଁ। ଏହି ଅପରେସନ୍ରେ ମାଓ କ୍ୟାମ୍ପ୍ରୁ ପୁଲିସ୍ ଗୋଟିଏ ୩ ନଟ୍ ୩ ରାଇଫଲ୍, ୩ଟି କଣ୍ଟ୍ରିମେଡ୍ ବନ୍ଧୁକ, ୩ଟି ଗ୍ରେନେଡ୍, ଗୋଟିଏ ଲ୍ୟାଣ୍ଡମାଇନ୍ ଓ ବିପୁଳ ମାଓ ସାମଗ୍ରି ପୁଲିସ୍ ଜବତ କରିଛି।
ପୁଲିସ୍ର ଏହି ମାଓ ଦମନ ଅପରେସନ୍ ସଫଳ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।
ସୂଚନାଯୋଗ୍ୟ, ବାଲିଗୁଡ଼ା ଏସ୍ଡିପିଓ ବିନିତ କୁମାର ଅଗ୍ରୱାଲ୍ ମାଓ ବିରୋଧୀ ଅଭିଯାନର ତଦାରଖ କରୁଥିବା ବେଳେ କନ୍ଧମାଳ ଏସ୍ପି ପ୍ରତୀକ ସିଂ ବାଲିଗୁଡ଼ା ଆସି ଅପରେସନ୍ ସ୍ଥିତି ତନଖି କରି ପୁଣି ସଦରମହକୁମା ଫେରିଥିବା ଜଣାପଡ଼ିଛି। ତେବେ କମ୍ବିଂ ଜାରି ରହିଛି। ଫେରାର ଥିବା ଆହତ ମାଓବାଦୀଙ୍କୁ ଠାବ କରିବା ଲାଗି କୁମ୍ବିଂ ଜାରି ରହିଥିବା ଡାକ୍ତର ଶର୍ମା କହିଛନ୍ତି।