କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ସରଳ ଜୀବନ ଯାପନ ପାଇଁ ଜଣାଶୁଣା ବାଲେଶ୍ୱରର ନବ ନିର୍ବାଚିତ ସାଂସଦ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କ୍ଷମତାର ସ୍ୱାଦ ଚାଖି ପାରି ନଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ୬୪ ବର୍ଷ ବୟସ୍କ ଶ୍ରୀ ଷଡ଼ଙ୍ଗୀ ମୋଦି ସରକାରରେ ସ୍ଥାନ ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶ୍ମଶ୍ରୁଧାରୀ ଏବଂ ଧଳା କୁର୍ତ୍ତା ପାଇଜାମା ପରିହିତ ପ୍ରତାପଙ୍କ ଶୈଶବ ଅତ୍ୟନ୍ତ ଦୁଃଖ କଷ୍ଟରେ କଟିଥିଲା। ୧୯୫୫ ମସିହାରେ ବାଲେଶ୍ୱରର ଗୋପୀନାଥପୁର ଗ୍ରାମରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ପ୍ରତାପଙ୍କୁ ଅତ୍ୟନ୍ତ କଷ୍ଟରେ ତାଙ୍କର ବିଧବା ମା’ ପ୍ରତିପୋଷଣ କରିଥିଲେ। ବାଲେଶ୍ୱରର ଫକୀର ମୋହନ କଲେଜରୁ ୧୯୭୫ ମସିହାରେ ବି.ଏ ପାଶ୍ କରିବା ପରେ ଏହି କ୍ଷୀଣ କାୟ ଯୁବକ ସମାଜସେବାରେ ବ୍ରତୀ ହୋଇଥିଲେ। ଓଡ଼ିଆ ଓ ସଂସ୍କୃତରେ ତାଙ୍କର ବାଗ୍ମିତା ରହିଛି।