Odisha Link
Bridging the Missing Links in Odisha

ବନ୍ଧା ହେଲେ ପୂର୍ବତନ ପାକ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ

ଇସ୍ଲାମାବାଦ : ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ପାକିସ୍ତାନର ଦୁର୍ନିତି ନିବାରଣ ସଂସ୍ଥା (ଏନଏବି) ଗିରଫ କରିଛି । ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ମାମଲାରେ ଗିରଫ ହୋଇଛନ୍ତି ଆସିଫ ଅଲି ଜର୍ଦ୍ଦାରୀ। ଇସ୍ଲାମାବାଦ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ସମୟ ବଢାଇବାକୁ ମନା କରିବା ପରେ ସୋମବାର ଦିନ ତାଙ୍କୁ ଗିରଫ କରାଯାଇଛି । ଇସ୍ଲାମାବାଦସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରି ଏକ ଅଜଣା ସ୍ଥାନକୁ ନିଆଯାଇଛି । ତାଙ୍କୁ ଗିରଫ କରିବା ସମୟରେ ଘରେ ତାଙ୍କ ପୁଅ ବିଲାଓ୍ଵଲ ଅଲ୍ଲୀ ଭୁଟ୍ଟୋ, ଅସିିଫା ଓ ପାକିସ୍ତାନ ପିପୁଲ୍ସ ପାର୍ଟିର ଶହ ଶହ କର୍ମୀ ଉପସ୍ଥିତ ଥିଲେ । ଏହି ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ସେ ଶାନ୍ତି ବଜାୟ ରଖିବାକୁ କର୍ମୀମାନଙ୍କୁ ନିବେଦନ କରିଛନ୍ତି । ଜର୍ଦ୍ଦାରୀଙ୍କ ନାଁରେ ଗତକାଲି ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୁର୍ନୀତି ଅଭିଯୁକ୍ତ ତଥା ଜର୍ଦ୍ଦାରୀଙ୍କ ଭଉଣୀ ଫରୟାଲ ତଲପୁରଙ୍କ ନାଁରେ ଏପର୍ଯ୍ୟନ୍ତ କୌଣସି ଓ୍ଵାରେଣ୍ଟ ଜାରି ହୋଇନାହିଁ । ଏହି ଅଭିଯୋଗ ବିରୋଧରେ ଜର୍ଦ୍ଦରୀ ପାକ ସୁପ୍ରିମକୋର୍ଟରେ ଅପିଲ କରିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

Comments are closed.