Odisha Link
Bridging the Missing Links in Odisha

ଓଡ଼ିଆରେ କାହାଣୀ ଚୋରି: ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ସିନେନିର୍ମାତା!

ଭୁବନେଶ୍ବର: କାହାଣୀ ଚୋରି ଅଭିଯୋଗରେ ନିନ୍ଦିତ ହୋଇଛନ୍ତି ଓଡ଼ିଆ ଲେଖିକା ମମତାମୟୀ ଚୌଧୁରୀ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୂଳ କାହାଣୀକାର ସିନେନିର୍ମାତା ବିଲାଲ ହସନ୍। ଅନ୍ୟପଟେ ଏ ଘଟଣା ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାହିତ୍ୟ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ‘ନନ୍ଦିକା’ର ମେ ୨୦୧୯ ସଂଖ୍ୟାରେ ମମତାମୟୀଙ୍କର ‘ଚୁପଚାପ’ ଶୀର୍ଷକରେ ଏକ ଗଳ୍ପ ପ୍ରକାଶ ପାଇଛି। ସେହି ଚୁପଚାପ ଶୀର୍ଷକରେ ଯୁବ ସିନେନିର୍ମାତା ବିଲାଲ ହସନ୍‌ ୨୦୧୭ରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ଏହାର କାହାଣୀ, ଆରମ୍ଭ ଓ ଶେଷ ଓ ଅନେକ କ୍ଷେତ୍ରରେ ସଂଳାପକୁ ମମତାମୟୀ ତାଙ୍କ ଗଳ୍ପରେ ସିଧାସଳଖ ନକଲ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଗଳ୍ପର ପ୍ରତିଛବି ସହ ସିନେମାର ୟୁଟ୍ୟୁବ୍‌ ଲିଙ୍କ ଦେଇ ପ୍ରଥମେ ଗତକାଲି (ଜୁନ୍‌ ୯) ଏ ନେଇ ସୋସିଆଲ ମିଡିଆ ଫେସବୁକରେ ଅଭିଯୋଗ ଉଠାଇଥିଲେ ଅଭିନେତ୍ରୀ ଭାସ୍ବତୀ ବସୁ

ଏ ଘଟଣାକୁ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ନିନ୍ଦା କରିଥିବା ବେଳେ ମମତାମୟୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଫେସବୁକରେ ଦାବି ଉଠିଥିଲା। ପରେ ମମତାମୟୀ ନିଜ ଫେସବୁକ କାନ୍ଥରେ ଏ ନେଇ ସ୍ପଷ୍ଟୋକ୍ତି ବାଢ଼ିଥିଲେ। ସେ ସିନେମାଟି ଆଦୌ ଦେଖିନାହାନ୍ତି, ଖବରକାଗଜରେ କେରଳର ଏକ ସତ୍ୟଘଟଣା ସମ୍ପର୍କରେ ପଢ଼ିବା ପରେ ପ୍ରଭାବିତ ହୋଇ ଗଳ୍ପଟି ଲେଖିଥିବା ସଫେଇ ଦେଇଛନ୍ତି ମମତାମୟୀ। ତେବେ କାହାଣୀ ତାଙ୍କର ନିଜସ୍ବ ଓ ଏହା ୨୦୧୭ରେ ଫିଲ୍ମ ରାଇଟର୍ସ ଆସୋସିଏସନ୍‌ ମୁମ୍ବାଇ ଠାରେ କପିରାଇଟ୍‌ ପଞ୍ଜିକରଣ କରିଛନ୍ତି ବୋଲି ବିଲାଲ ମମତାମୟୀଙ୍କ ପୋଷ୍ଟରେ ମନ୍ତବ୍ୟ ରଖିଥିଲେ। ଖବର ସମ୍ପର୍କରେ ଜଣାଇବା ସହ କାହାଣୀ ଚୋରି ନେଇ ସ୍ପଷ୍ଟୋକ୍ତି ରଖନ୍ତୁ ବୋଲି ବିଲାଲ ଦାବି କରିଥିଲେ। ସେ ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ ମମତାମୟୀଙ୍କ ଫେସବୁକ ପୋଷ୍ଟରେ ଲେଖିଥିଲେ।

ବିଲାଲ ଏ ନେଇ ଭାସ୍ବତୀଙ୍କ ଫେସବୁକରେ ମନ୍ତବ୍ୟ ରଖିଛନ୍ତି ଯେ ସେ ଓଡ଼ିଆ ସାହିତ୍ୟ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରଖନ୍ତି। ତାଙ୍କର ଗଣମାଧ୍ୟମରେ ବେଶ୍‌ ଚିହ୍ନା ପରିଚୟ ଥିଲେ ବି ଏ ଉପରେ ନିଷ୍ପତ୍ତି ନେବାପାଇଁ ସେ ଘଟଣାଟିକୁ ଓଡ଼ିଆ ଲେଖକମାନଙ୍କ ଉପରେ ଛାଡ଼ି ଦେଇଥିବା ଲେଖିଛନ୍ତି। ଅନୁରୂପ ଭାବେ ନିଜ ଫେସବୁକ କାନ୍ଥରେ ମଧ୍ୟ ଏ ସମ୍ପର୍କିତ ଏକ ମନ୍ତବ୍ୟ ରଖି କ୍ଷୋଭ ପ୍ରକାଶ କରିଛନ୍ତି ବିଲାଲ।

ଅନ୍ୟପଟେ ମମତାମୟୀ ପରେ ନିଜ ଫେସବୁକରୁ ପରେ ନିଜର ସ୍ପଷ୍ଟୀକରଣ ପୋଷ୍ଟଟି ହଟାଇ ଦେଇଛନ୍ତି।

ବିଲାଲଙ୍କ ସିନେମା ଚୁପଚାପ ଦେଖନ୍ତୁ

Comments are closed.