Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ସେମିରେ ଟିମ୍‌ ଇଣ୍ଡିଆ, ବିଦା ହେଲା ବାଂଲାଦେଶ

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭ ୨୦୧୯ର ସେମିଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ବିଶ୍ବକପର ୪୦ ତମ ମ୍ୟାଚରେ ବାଂଲାଦେଶ ଟିମ୍‌ ୨୮ ରନରେ ଟିମ୍‌ ଇଣ୍ଡିଆ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅପରପକ୍ଷେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂ ମାଧ୍ୟମରେ ଆଜିର ମ୍ୟାଚ ଜିତି ନେଇଛି ଭାରତ।

ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ ୯୨ ବଲରେ୍ ୭ ଚୌକା ଓ ୫ ଛକା ସହ ୧୦୪ ଓ ରାହୁଲ୍ ୭୭ (୯୨ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି। ଏହା ଫଳରେ ଭାରତ ୨୮ ରନରେ ବିଜୟ ଲାଭ କରିଛି।

ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜଶପ୍ରିତ୍‌ ବୁର୍ମା ୪ଟି ଓ୍ବିକେଟ ନେଇଥିବା ବେଳେ ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ୩ଟି ଓ୍ବିକେଟ ନେଇ ବାଂଲାଦେଶକୁ ପରାଜିତ କରିଥିଲେ। ଏତଦବ୍ୟତୀତ ମହମ୍ମଦ ଶାମି, ଭୁବନେଶ୍ବର କୁମାର ଏବଂ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। ଆଜିର ମ୍ୟାଚରେ ରୋହିତଙ୍କ ଶତକୀୟ ପାରି ପାଇଁ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Comments are closed.