ଜେଲରୁ ମୁକ୍ତ ହେଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର : ଯନ୍ତ୍ରୀଙ୍କୁ ବସଉଠ ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡ଼ିଜେ କୋର୍ଟ ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଏହା ସହିତ ତଦନ୍ତରେ ସାହାଯ୍ୟ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ସତ୍ୟପାଠ ଦାଖଲ ପାଇଁ ସେହିଦିନ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଥିଲେ। ଏହା ପରେ ବିଧାୟକଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ସେହିଭଳି ସେଦିନ ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଧାୟକ ଓ ତାଙ୍କ ପ୍ରତିପକ୍ଷ ନିଜେ ମାମଲା ଲଢ଼ିଥିଲେ।
ଉଠ୍ବସ୍ ଘଟଣାରେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ବିଧାୟକ ଶାରୀରିକ ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍ସି ଏବଂ ଏସ୍ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ିଥିଲା। ବଲାଙ୍ଗିର ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଏପରିକି ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଥିଲା। ଏ ଘଟଣା ଘଟିବାର ପ୍ରାୟ ୨୦ ଦିନ ପରେ ବିଧାୟକଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଥିଲା।
ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୪ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍ବସ୍ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।
Comments are closed.