Odisha Link
Bridging the Missing Links in Odisha

୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇ ପାରିବେ ନାହିଁ ବିଦ୍ୟାର୍ଥୀ

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟକ୍ଷ ଏଥର ସମସ୍ତ କାର୍ଯ୍ୟ ଦିବସରେ ସର୍ବନିମ୍ନ ୭ଘଣ୍ଟା ଶିକ୍ଷାନୁଷ୍ଠାନରେ ରହିବେ। ଏଥିସହ ଛାତ୍ରଛାତ୍ରୀଙ୍କର ୭୫% ଉପସ୍ଥାନକୁ କଡାକଡି ଭାବେ ପାଳନ କରାଯିବ। ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଥିବା ୭୫% ଉପସ୍ଥାନ ବ୍ୟବସ୍ଥା ବାର୍ଷିକ ପରୀକ୍ଷା କ୍ଷେତ୍ରରେ ମଧ୍ୟ ଲାଗୁ କରାଯିବ। ଉପସ୍ଥାନ ଓ ଅଧ୍ୟାପକଙ୍କ କାର୍ଯ୍ୟ ସମୟ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦେଶନାମା ଜାରି କରାଯାଇଛି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅଧ୍ୟାପକଙ୍କ ସମେତ ଅଧ୍ୟକ୍ଷମାନେ ସର୍ବନିମ୍ନ ୭ଘଣ୍ଟା କାମ କରିବା ନିୟମକୁ ଅନୁପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫% ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଏହି ନିର୍ଦେଶାନାମାରେ କୁହାଯାଇଛି। ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟରେ ଥିବା ସବୁବର୍ଗର କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ କାମ କରିବେ। ଶିକ୍ଷାଦାନ ସହ ଅଧ୍ୟାପକମାନେ ଏଣିକି ପାଠାଗାର, ଗବେଷଣା, ବିଳମ୍ବରେ ନାଁ ଲେଖାଇଥିବା ପିଲାଙ୍କ ପାଇଁ ଅଧିକ ପାଠ ପଢାଇବା, ଉଚ୍ଛୁକ ବିଦ୍ୟାର୍ଥୀଙ୍କୁ ଅତିରିକ୍ତ କ୍ଲାସ ପ୍ରଦାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଦାରଖ, ଶିକ୍ଷାଦାନ ଓ କଲେଜର ଅନ୍ୟାନ୍ୟ କାମରେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ। ତେବେ ଏହି ୭ଘଣ୍ଟା କାମ କରିବା ନିୟମ ‘ଅତିଥି ଅଧ୍ୟାପକ’ଙ୍କ ପାଇଁ ଲାଗୁ ହେବନାହିଁ। ସେହିପରି କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ବାର୍ଷିକ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ନାହିଁ। ଛାତ୍ରଛାତ୍ରୀ ଉପସ୍ଥାନକୁ ପ୍ରତିମାସରେ ତଦାରଖ କରାଯିବ। ୭୫%ରୁ କମ୍‌ ଉପସ୍ଥାନ ଥିବା ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ଫୋନ୍, ଏସଏମଏସ୍,ପୋଷ୍ଟକାର୍ଡ ଜରିଆରେ କଲେଜ କର୍ତ୍ତୃପକ୍ଷ ଅବଗତ କରାଇବେ। ମହାବିଦ୍ୟାଳୟ ଅଧ୍ୟାପକଙ୍କ କାର୍ଯ୍ୟ ସମୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନେଇ ପୂର୍ବରୁ ରହିଥିବା ସମସ୍ତ ସରକାରୀ ନିୟମକୁ ରଦ୍ଦ କରାଯାଇ ଏହି ନୂଆ ନିୟମକୁ ଆଜିଠୁ ଲାଗୁ କରାଗଲା ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଜଣାଇଛନ୍ତି।

ସୂଚନା ଅନୁସାରେ, ଗତ ଜୁନ୍ ୨୯ତାରିଖରେ ରାଜ୍ୟ ସରକାରୀ ଅଧ୍ୟକ୍ଷ ସମ୍ମିଳନୀରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ଏହି ନୂଆ ବ୍ୟବସ୍ଥା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏହି ନିୟମ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି।

Comments are closed.