Odisha Link
Bridging the Missing Links in Odisha

ଖଣ୍ଡପଡ଼ା: ସାବିତ୍ରୀ ପ୍ରଧାନଙ୍କୁ ମିଳିଲା ବିଜେଡି ଟିକେଟ

ଓଏଲ୍‌ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ। ଶାସକ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ୧୪୪ଟି ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଖଣ୍ଡପଡ଼ା ଆସନରୁ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ମିଳିଥିବା ବେଳେ ନୀଳଗିରିରୁ ସୁକାନ୍ତ କୁମାର ନାୟକ ଓ କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ଦେଇଛି ବିଜେଡି।

ସବୁବେଳେ ଚର୍ଚ୍ଚାରେ ରହୁଥିବା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ୮ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିନଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷ ପର୍ଯ୍ୟାୟରେ ଖଣ୍ଡପଡ଼ା ଆସନ ପାଇଁ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ବିଧାୟିକା ପ୍ରାର୍ଥୀ କରିଛି। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖଣ୍ଡପଡ଼ା ଆସନ ପାଇଁ ବହୁ ଆଶାୟୀ ଥିଲେ। ହେଲେ ଶେଷରେ ବାଜି ମାରିଛନ୍ତି ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ଆସନରେ ମହିଳା କାର୍ଡ ଖେଳି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଟିକେଟ ପାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାବିତ୍ରୀ ପ୍ରଧାନ କହିଛନ୍ତି, “ନବୀନ ପଟ୍ଟନାୟକ ବିଜେଡିର ସର୍ବମାନ୍ୟ ନେତା। ସେ ମୋତେ ଖଣ୍ଡପଡ଼ାରୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଦଳର ଜଣେ ସାଧାରଣ କର୍ମୀ ଭାବରେ କାର୍ଯ୍ୟ କରୁଛି ଓ କରିବି। ବିଜେଡି ସରକାରର ବିକାଶ, ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଖଣ୍ଡପଡ଼ାବାସୀଙ୍କ ଆଶୀର୍ବାଦ ମୋର ପୁଞ୍ଜି। ଆଶା ଏଥର ଖଣ୍ଡପଡ଼ାରେ ପୁଣି ଯୋଡ଼ିଶଙ୍ଖ ବାଜିବ। ନବୀନ ବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।”

Leave A Reply

Your email address will not be published.